ଚାଇନାର ହାଙ୍ଗଜୋ ସହରରେ ଖେଳାଯାଉଥିବା ଏସିଆନ ଗେମ୍ସ ୨୦୨୩ ର ପୁରୁଷ କ୍ରିକେଟ୍ ଫାଇନାଲରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ଭାରତ ଟସ୍ ଜିତି ଏହି ମ୍ୟାଚରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନ ଖେଳୁଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା। ଯାହା ପରେ ମ୍ୟାଚ୍ ବାତିଲ କରାଯାଇଥିଲା। ର଼୍ୟାଙ୍କିଙ୍ଗ କ୍ରମରେ ଆଫଗାନିସ୍ତାନ ଦଳଠାରୁ ଭାରତୀୟ ଦଳ ଆଗରେ ଥିଲା। ଏହା ପରେ ଭାରତୀୟ ଦଳକୁ ବିଜେତା ଘୋଷିତ କରାଯାଇଥିଲା।
ବ୍ୟାଟିଂ କରୁଥିବାବେଳେ ଆଫଗାନିସ୍ତାନ ଦଳ ୧୮.୨ ରେ ୧୧୨ ରନ ସଂଗ୍ରହ କରିଥିଲା । ଏହା ପରେ ବର୍ଷା ଆରମ୍ଭ ହୋଇଯାଇଥିଲା ଏବଂ ମ୍ୟାଚ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ କତୃପକ୍ଷ । ଦୀର୍ଘ ସମୟ ପରେ ମ୍ୟାଚ୍ ବାତିଲ ହୋଇଥିଲା । ଆଫଗାନିସ୍ତାନ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିନଥିଲେ । କେବଳ ଶାହୀଦୁଲ୍ଳା କମଲ ୪୯ ରନ କରି ଅପରାଜିତ ରହିଥିବା ବେଳେ ଅଧିନାୟକ ଗୁଲାବୁଦିନ ନାଇବ ୨୭ ରନ କରି ଅପରାଜିତ ଥିଲେ ।
ଏହି ମ୍ୟାଚରେ ପ୍ରାୟ ସମସ୍ତ ବୋଲର ଭାରତ ପାଇଁ ଭଲ ବୋଲିଂ କରିଥିଲେ। ଅର୍ଶଦୀପ ସିଂ ଗୋଟିଏ ୱିକେଟ୍ ନେଇଥିଲେ, ଶାହାବାଜ ଅହମ୍ମଦ ୧ ୱିକେଟ୍ ଏବଂ ରବି ବିଷ୍ଣୋଇ ଗୋଟିଏ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଅଲରାଉଣ୍ଡର ଶିବମ ଦୁବେ ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ। ଏହି ବିଜୟ ସହିତ ଭାରତ ବର୍ତ୍ତମାନ ଏସୀୟ ଗେମ୍ସରେ ମୋଟ ୧୦୩ ପଦକରେ ପହଞ୍ଚିଛି । ବର୍ତ୍ତମାନ ଭାରତକୁ ୨୮ ଟି ସ୍ୱର୍ଣ୍ଣ, ୩୫ ଟି ରୌପ୍ୟ ଏବଂ ୪୦ ଟି ବ୍ରୋଞ୍ଜ ପଦକ ମିଳିଛି । ଆହୁରି ଅନେକ ମ୍ୟାଚ୍ ବାକି ଅଛି । ଯେଉଁଥିରେ ଭାରତ ସ୍ୱର୍ଣ୍ଣ ଜିତିପାରିବ । ପୁରୁଷ କବାଡି ଦଳ ମଧ୍ୟ ଫାଇନାଲରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛି।
ଅଧିକ ପଢନ୍ତୁ: ଏସିଆନ ଗେମ୍ସରେ ପାକିସ୍ତାନକୁ ହରାଇ ସ୍କ୍ୱାଶରେ ସ୍ୱର୍ଣ୍ଣ ଜିତିଲା ଭାରତ