କଟକ: ଆଜିଠାରୁ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ମୋଟ ପାଞ୍ଚଟି କାଉଣ୍ଟରରେ ଟିକେଟ୍ ମିଳୁଛି । ଅଫଲାଇନ୍ ଟିକେଟ୍ ଆଜି ଓ ଆସନ୍ତାକାଲି ବିକ୍ରି ହେବେ । ପ୍ରାୟ ୧୦ ହଜାର ଟିକେଟ୍ ବିକ୍ରି କରାଯିବ ।
ସେପଟେ ଟିକେଟ୍ କିଣିବାକୁ କାଉଣ୍ଟର ଆଗରେ ହଜାର ହଜାର ସଂଖ୍ୟାରେ କ୍ରିକେଟ୍ ପ୍ରେମୀ ଗତକାଲିଠାରୁ ଅସମ୍ଭାଳ ଭିଡ଼ ଲଗାଇଛନ୍ତି । ଆଜି ସକାଳେ ଧାଡ଼ିରେ ଛିଡ଼ା ହେବା ଥିଲା । କିନ୍ତୁ ବଢ଼ୁଥିବା କ୍ରିକେଟ ପ୍ରେମୀଙ୍କ ଭିଡ଼କୁ ଦେଖି କମିଶନରେଟ୍ ପୋଲିସ ବାଧ୍ୟ ନିଜର ନିଷ୍ପତି ବଦଲାଇଥିଲା । ଗତକାଲି ରାତିରୁ ବାରିକେଡରେ ଲୋକମାନଙ୍କୁ ଧାଡ଼ି ଛିଡ଼ା କରାଯାଇଥିଲା । ତେବେ ଆଜି ସକାଳ ୯ଟାରେ ଟିକେଟ୍ ବିକ୍ରି ହେବାକୁ ଥିବା ବେଳେ ଘଣ୍ଟାଏ ବିଳମ୍ବରେ କାଉଣ୍ଟର୍ ଖୋଲିଥିଲା ।
ଟିକେଟ୍ ପାଇବା ପରେ ଲୋକମାନଙ୍କ ମଧ୍ୟରେ ଖୁସିର ଲହିରି ଖେଳି ଯାଇଛି । ତେବେ ଏହି ସମୟରେ ଠେଲାପେଲାରେ ମଧ୍ୟ କିଛି ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି ।
ଗ୍ୟାଲେରୀ ନମ୍ବର ୨ ଓ ୪ ପାଇଁ ୯୦୦ ଟଙ୍କା, ଗ୍ୟାଲେରୀ ନମ୍ବର ୭ ପାଇଁ ୭୦୦ ଟଙ୍କା, ସ୍ପେଶାଲ ଏନ୍କ୍ଲୋଜର୍ ପାଇଁ ୬,୦୦୦ ଟଙ୍କା ଏବଂ ଏସି ବକ୍ସ ପାଇଁ ୮,୦୦୦ ଟଙ୍କା ରହିଛି ।
ଏହା ପୂର୍ବରୁ ଅନଲାଇନ୍ ଟିକେଟ୍ ବିକ୍ରି ଶେଷ ହୋଇଛି । ଅନଲାଇନ୍ ଟିକେଟ କ୍ରେତାମାନଙ୍କ ପାଇଁ ଡିସେମ୍ବର ୮ ଏବଂ ୯ ତାରିଖରେ କେମ୍ବ୍ରିଜ ସ୍କୁଲରେ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ । ସେଠାରୁ ସେମାନେ ନିଜ ବୁକିଂ ଦେଖାଇ ଟିକେଟ୍ ସଂଗ୍ରହ କରିବେ । ସେହିପରି ଓସିଏଲ ଅନୁବନ୍ଧିତ ସଂସ୍ଥାମାନଙ୍କୁ ମଧ୍ୟ ଟିକେଟ୍ ବିକ୍ରି ଶେଷ ହୋଇଛି । ଏଥର ମୋଟ୍ ୪୨ ହଜାର ଦର୍ଶକ ମ୍ୟାଚ୍ ଦେଖିପାରିବେ।