ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖରାପ ସମୟ ଚାଲିଛି। ଆଇପିଏଲ ୨୦୨୪ ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପ୍ରତିନିଧିତ୍ଵ କରୁଥିବାବେଳେ ପାଣ୍ଡ୍ୟାଙ୍କୁ ପଡ଼ିଆରେ ଓ ପଡିଆ ବାହାରେ ଅନେକ ସମାଲୋଚନାର ଶିକାର ହେବାକୁ ପଡିଥିଲା। ଟି-୨୦  ବିଶ୍ୱକପରେ ଉଭୟ ବ୍ୟାଟିଂ ଓ ବୋଲିଂ ସହ ଚମତ୍କାର ପ୍ରଦର୍ଶନ କରି ଭାରତକୁ ଟାଇଟେଲ ଜିତାଇବାରେ ସାହାଯ୍ୟ କରିଥିଲେ। ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ଭାରତୀୟ ଟି-୨୦ ଦଳର ଅଧିନାୟକ ହେବାକୁ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ଅଧିନାୟକ ହେବା ତ ଦୂରର କଥା ବରଂ ତାଙ୍କୁ ଉପ-ଅଧିନାୟକ ପଦରୁ ମଧ୍ୟ ହଟାଇ ଦିଆଯାଇଥିଲା।
 
ଗୁରୁବାର ଶ୍ରୀଲଙ୍କା ଗସ୍ତ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ପଦବୀରୁ ମଧ୍ୟ ହଟାଇ ଦିଆଯାଇଛି। ଏହାପରେ ହାର୍ଦ୍ଦିକ ଗୁରୁବାର ନିଜ ସୋସିଆଲ ମିଡ଼ିଆରେ ନିଜ ବ୍ୟକ୍ତିଗତ ଜୀବନରେ ଚାଲିଥିବା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନତାଶା ଷ୍ଟାନକୋଭିକଙ୍କ ସହ ଛାଡପତ୍ର ନେଇଥିବା ଘୋଷଣା କରିଛନ୍ତି। ଏହା ସହିତ, ଛାଡପତ୍ର ପରେ ପାଣ୍ଡ୍ୟା ନତାଶାଙ୍କୁ ଛାଡପତ୍ରରେ  କେତେ ଟଙ୍କା ଦେବେ ସେ ନେଇ ବେଶ ଚର୍ଚ୍ଚା ଚାଲିଛି । ତେବେ ଆସନ୍ତୁ ଜାଣିବା ହାର୍ଦ୍ଦିକଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ଉପରେ ।
 
ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ, ବିଜ୍ଞାପନ, ବିସିସିଆଇରୁ ଲକ୍ଷାଧିକ ଟଙ୍କା ରୋଜଗାର କରନ୍ତି । ବିସିସିଆଇ ଚୁକ୍ତି ଅନୁଯାୟୀ ତାଙ୍କୁ ବାର୍ଷିକ ୫ କୋଟି ଟଙ୍କା ବିସିସିଆଇ ଠାରୁ ମିଳିଥାଏ । ଏହା ବ୍ୟତୀତ ଅନ୍ତର୍ଜାତୀୟ ମ୍ୟାଚ ଖେଳିଲେ ପ୍ରତ୍ୟେକ ଟି ମ୍ୟାଚ ବାବଦକୁ ଅଲଗା ଦରମା ମିଳେ ଯାହା କ୍ରିକେଟ ଫର୍ମାଟ୍ ଅନୁଯାୟୀ ଭିନ୍ନ ହୋଇଥାଏ । ଦିନିକିଆ ମ୍ୟାଚ ପାଇଁ ୬ ଲକ୍ଷ ଟଙ୍କା ଏବଂ ଟି-୨୦ ମ୍ୟାଚ ପାଇଁ ୩ ଲକ୍ଷ ଟଙ୍କା ମିଳେ । ପାଣ୍ଡ୍ୟା ମଧ୍ୟ ଆଇପିଏଲରୁ ପ୍ରତିବର୍ଷ ୧୫ କୋଟି ଟଙ୍କା ରୋଜଗାର କରନ୍ତି। ଏହା ବ୍ୟତୀତ ପାଣ୍ଡ୍ୟା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଏବଂ ବିଜ୍ଞାପନରୁ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଏକ ଆକଳନ ଅନୁଯାୟୀ ପାଣ୍ଡ୍ୟାଙ୍କ ସମ୍ପତ୍ତିର ବର୍ତ୍ତମାନ ମୂଲ୍ୟ ୯୧ କୋଟି ଟଙ୍କା ହେବି। 
 
ଭଡୋଦରା ହାର୍ଦ୍ଦିକଙ୍କ ପାଖରେ ୬୦୦୦ ବର୍ଗଫୁଟର ଏକ ବିଳାସପୂର୍ଣ୍ଣ ପେଣ୍ଟହାଉସ୍ ଅଛି । ଏହି ପେଣ୍ଟହାଉସର ମୂଲ୍ୟ ପ୍ରାୟ ୩.୬ କୋଟି ଟଙ୍କା ହେବି । ମୁମ୍ବାଇରେ ପାଣ୍ଡ୍ୟାଙ୍କ ପାଖରେ ୩୦ କୋଟି ଟଙ୍କାର ଏକ ଘର ଅଛି। ଏହାସହ ତାଙ୍କ ପାଖରେ ବିଳାସପୂର୍ଣ୍ଣ କାର ଅଛି । ଅଡି ଏ୬, ଲାମ୍ବୋର୍ଗିନି, ରେଞ୍ଜ ରୋଭର, ମର୍ସିଡିଜ୍, ରୋଲ୍ସ ରୋଏସ୍, ପୋର୍ସ ଭଳି କାର ହାର୍ଦ୍ଦିକଙ୍କ ପାଖରେ ରହିଛି ।