କଟକ: କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତା ଫେବୃଆରୀରେ ୯ରେ ଦିନିକିଆ ଦିବାରାତ୍ର ମ୍ୟାଚ୍ ଖେଳାଯିବ। ଏ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ(ଓସିଏ) ପକ୍ଷରୁ ପ୍ରସ୍ତୁତି ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଓସିଏ ର ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି।ଏଥିରେ ମ୍ୟାଚ୍ର ଟିକେଟ୍ ଦାମ କେତେ ରହିବ ତାହା ଧାର୍ଯ୍ୟ କରାଯାଇଛି।
ଆଜି ଓସିଏ ସଂପାଦକ ସଞ୍ଜୟ ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ମ୍ୟାଚ୍ ପାଇଁ ଉଭୟ ଟିମ ଭୁବନେଶ୍ବରର ମେ ଫେୟାର ଲାଗୁନ ହୋଟେଲରେ ରହିବେ। ଖେଳାଳିଙ୍କ ଯିବା ଆସିବା,ରହିବା ସବୁ ଦିଗ ଉପରେ ଆଲୋଚନା ହୋଇଥିଲା। ତେବେ ସବୁଠୁ ବଡ ପ୍ରସଙ୍ଗ ଥିଲା ଟିକେଟ୍ ଦର। ଏଥର ବାରବାଟୀ ଷ୍ଟାଡିୟମରେ ୪୪ ହଜାର ୫୨୪ ଦର୍ଶକ ବସି ମ୍ୟାଚ୍ ଉପଭୋଗ କରି ପାରିବେ। ଓସିଏ ପକ୍ଷରୁ ଧାର୍ଯ୍ୟ ଟିକେଟ୍ ଦାମ ଅନୁସାରେ, ଗ୍ୟାଲେରୀ ୧,୩,୬ ପାଇଁ ଟିକେଟ ଦାମ ୧୨୦୦ ଟଙ୍କା ରଖାଯାଇଛି। ସେହିପରି ୨,୪ ଗ୍ୟାଲେରୀ ପାଇଁ ଟିକେଟ୍ ଦାମ ୧୦୦୦ ଟଙ୍କା, ୫ ନମ୍ବର ଗ୍ୟାଲେରୀ ଦାମ ୧୫୦୦ ଟଙ୍କା, ସ୍ପେଶାଲ ଏନକ୍ଲୋଜର ଦାମ ୭୦୦୦ ଟଙ୍କା, ଏସି ଗ୍ୟାଲେରୀ ବକ୍ସ-୯୦୦୦ ଓ କର୍ପୋରେଟ ବକ୍ସ ଦାମ ୨୦,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ସୂଚନାଯୋଗ୍ୟ, ୨୦୨୫ ଜାନୁଆରୀ ୨୨ ତାରିଖରୁ ଇଂଲଣ୍ଡ ଦଳର ଭାରତ ଗସ୍ତ ଆରମ୍ଭ ହେବ। ଏହି ଗସ୍ତରେ ଭ୍ରମଣକାରୀ ଦଳ ଭାରତରେ ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ଫେବୃଆରୀ ୬ରେ ନାଗପୁର ଏବଂ ଫେବୃଆରୀ ୧୨ ତାରିଖରେ ଅହମ୍ମଦାବାଦରେ ତୃତୀୟ ମ୍ୟାଚ୍ ଖେଳାଯିବ। ଆଉ ସିରିଜର ଦ୍ଵିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହା ପୂର୍ବରୁ ବାରବାଟୀରେ ଶେଷଦିନିକିଆ ୨୦୧୯ ଡିସେମ୍ବର ୨୨ରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯାଇଥିଲା।
ଗ୍ୟାଲେରୀ ମୂଲ୍ୟ
ଗ୍ୟାଲେରୀ ୧ – ୧୨୦୦ ଟଙ୍କା
ଗ୍ୟାଲେରୀ ୨ – ୧୦୦୦ ଟଙ୍କା
ଗ୍ୟାଲେରୀ ୩- ୧୨୦୦ ଟଙ୍କା
ଗ୍ୟାଲେରୀ ୪ – ୧୦୦୦ ଟଙ୍କା
ଗ୍ୟାଲେରୀ ୫- ୧୫୦୦ ଟଙ୍କା
ଗ୍ୟାଲେରୀ ୬- ୧୨୦୦ ଟଙ୍କା
ଗ୍ୟାଲେରୀ ୭- ୮୦୦ ଟଙ୍କା
ସ୍ପେସିଆଲ ଏନକ୍ଲୋଜର- ୭୦୦୦ ଟଙ୍କା
ଏସି ଗ୍ୟାଲେରୀ ବକ୍ସ- ୯୦୦୦ ଟଙ୍କା
କର୍ପୋରେଟ୍ ବକ୍ସ- ୨୦,୦୦୦ ଟଙ୍କା
ନ୍ୟୁ ପାଭିଲିୟନ- ୧୦,୦୦୦ ଟଙ୍କା