ନୂଆଦିଲ୍ଲୀ: ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ୍ ଦଳ । ଦୀର୍ଘ ୫୨ ବର୍ଷ ପରେ ଜିତିଲେ ଦିନିକିଆ ବିଶ୍ୱକପ୍ ଟ୍ରଫି । ଟିମ୍ ଇଣ୍ଡିଆର ଏହି ଐତିହାସିକ ବିଜୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ମହିଳା କ୍ରିକେଟ୍ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଭାରତୀୟ ଖେଳାଳି ଦମଦାର ପ୍ରଦର୍ଶନ କରିଛନ୍ିତ ଏବଂ ଏହି ବଜୟ ଆଗାମୀ ପିଢିକୁ କ୍ରୀଡାରେ ଭାଗ ନେବା ପାଇଁ ପ୍ରେରଣା ଦେବ ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ଆଇସିସି ମହିଳା କ୍ରିକେଟ୍ ବିଶ୍ୱକପ ୨୦୨୫ର ଫାଇନାଲରେ ଭାରତୀୟ ଦଳର ଚମତ୍କାର ବିଜୟ । ଫାଇନାଲରେ ଦଳର ପ୍ରଦର୍ଶନ ଅଦ୍ଭୁତ କୌଶଳ ଓ ଆତ୍ମ ବିଶ୍ୱାସରେ ଭରି ରହିଥିଲା । ଦଳ ପୂରା ଟୁର୍ଣ୍ଣାମେଣ୍ଟର ଅସାଧାରଣ ଖେଳ ଓ ଦୃଢତା ଦେଖାଇଛି । ଆମର ଖେଳାଳିଙ୍କୁ ଅଭିନନ୍ଦନ । ଏହି ଐତିହାସିକ ବିଜୟ ଭବିଷ୍ୟତର ଚାମ୍ପିଅନ ଖେଳାଳିଙ୍କୁ କ୍ରୀଡାରେ ଭାଗ ନେବା ପାଇଁ ପ୍ରେରିତ କରିବ ।
ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ କରିଥିଲା ୨୯୮ ରନ । ଜବାବରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୪୬ ରନରେ ଅଲଆଉଟ୍ ହୋଇଛି । ଭାରତ ଟ୍ରଫି ଜିତିବା ସହ ଅଧିନାୟକ ହରମନପ୍ରୀତ କୌର ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଓ ମହେନ୍ଦ୍ର ସିଂ ଧୋନୀଙ୍କ କ୍ଲବରେ ସାମିଲ ହୋଇଛନ୍ତି । କାରଣ ଦୁଇ ଅଧିନାୟକଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ଦଳ ଟ୍ରଫି ଜିତିଥିଲା । ଆଉ ଏବେ ହରମନପ୍ରୀତ ଭାରତୀୟ ମହିଳା ଦଳକୁ ବିଶ୍ୱ ଚାମ୍ପିଅନ କରାଇଛନ୍ତି ।
ମହିଳା ବିଶ୍ୱକପ ୧୯୭୩ରେ ଆରମ୍ଭ ହୋଇଥିଲା । ମାତ୍ର ଭାରତୀୟ ଦଳ ଏ ପର୍ଯ୍ୟନ୍ତ ଟ୍ରଫି ଜିତି ପାରି ନ ଥିଲା । ଶେଷରେ ହରମପ୍ରୀତ କୌରଙ୍କ ନେତୃତ୍ୱରେ ଦଳ ଇତିହାସ ରଚିଛି । ଟିମ୍ ଇଣ୍ଡିଆ ପୂର୍ବରୁ ୨୦୦୫ ଏବଂ ୨୦୧୭ରେ ଫାଇନାଲ୍ ଖେଳିଥିଲେ ହେଁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା । କିନ୍ତୁ ୨୦୨୫ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଇତିହାସରେ ନୂଆ ଅଧ୍ୟାୟ ଲେଖିଛି ।