ନୂଆଦିଲ୍ଲୀ: ଟେଷ୍ଟ ସିରିଜ୍ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ ଟି-୨୦ ସିରିଜ୍ । ଟି-୨୦ ସିରିଜ୍ ପାଇଁ ଶନିବାର ୧୫ ଜଣିଆ ଭାରତୀୟ ଟି-୨୦ ଦଳ ଘୋଷଣା କରାଯାଇଛି। ସୂର୍ୟ୍ୟକୁମାର ଯାଦବ ଦଳର ନେତୃତ୍ଵ ନେଉଥିବା ବେଳେ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ଘଟିଛି। ନୂତନ ଚେହେରା ଭାବେ ଉଦୀୟମାନ ଦ୍ରୁତ ବୋଲର ମୟଙ୍କ ଯାଦବ ଓ ନୀତିଶ ରେଡ୍ଡୀଙ୍କୁ ଟି-୨୦ ଭାରତୀୟ ଦଳରେ ସାମିଲ କରାଯାଇଛି। କିନ୍ତୁ ଇଶାନ କିଶନଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି। ଏହି ବାମହାତୀ ଷ୍ଟାଇଲିସ ବ୍ୟାଟରଙ୍କୁ ଦଳରେ ସ୍ଥାନ ମିଳି ନ ଥିବା ବେଳେ ଋଷଭ ପନ୍ତଙ୍କୁ ଏହି ସିରିଜ୍ରେ ବିଶ୍ରାମ ଦିଆଯାଇଛି।
ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଓ୍ଵିକେଟ୍ କିପର ବ୍ୟାଟର ଭାବେ ସଞ୍ଜୁ ସାମସନ ଓ ଜିତେଶ ଶର୍ମାଙ୍କୁ ଦଳରେ ସ୍ଥାନ ମିଳିଛି। ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଦଳରେ ନିଜର ସ୍ଥାନ ବଜାୟ ରଖି ପାରିଛନ୍ତି। ଦ୍ରୁତ ବୋଲିଂରେ ହର୍ଷିତ ରାଣାଙ୍କ ଉପରେ ଚୟନକର୍ତ୍ତା ଭରସା ପ୍ରକାଶ କରିଛନ୍ତି ।
ଆଇପିଏଲ୍ ଫ୍ରାଞ୍ଚାଇଜ ଲକ୍ଷ୍ନୌ ସୁପର ଜାୟଣ୍ଟସ୍ ପାଇଁ ୨୦୨୪ ସିଜିନ ଖେଳିଥିବା ମୟଙ୍କ ଯାଦବ ନିଜର ଗତି ବଳରେ ସଭିଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ସେ ୪ଟି ମ୍ୟାଚ୍ରେ ୭ ଓ୍ଵିକେଟ୍ ନେବା ସହ ଘଣ୍ଟା ପ୍ରତି ୧୫୦ କିମିରୁ ଅଧିକ ବେଗରେ ବୋଲିଂ କରି କ୍ରିକେଟ୍ ଜଗତରେ ଚହଳ ସୃଷ୍ଟି କରିଛନ୍ତି। ତେବେ ଆଘାତଜନିତ ସମସ୍ୟା କାରଣରୁ ଆଇପିଏଲ୍ ୨୦୨୪ର ଅବଶିଷ୍ଟ ମ୍ୟାଚରୁ ବାଦ୍ ପଡ଼ିଥିଲେ।
ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ ତାରିଖରେ ଗ୍ଵାଲିୟରରେ ଖେଳାଯିବ। ଦ୍ଵିତୀୟ ମ୍ୟାଚ୍ ଅକ୍ଟୋବର ୯ ତାରିଖ ନୂଆଦିଲ୍ଲୀ ଓ ତୃତୀୟ ମ୍ୟାଚ୍ ଅକ୍ଟୋବର ୧୨ ତାରିଖରେ ହାଇଦ୍ରାବାଦରେ ଖେଳାଯିବ।
ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ
ସୂର୍ୟ୍ୟରକୁମାର ଯାଦବ(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ, ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ନୀତିଶ ରେଡ୍ଡୀ, ଶିବମ ଦୁବେ, ଓ୍ଵାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ବରୁଣ ଚକ୍ରବର୍ତ୍ତୀ, ଜିତେଶ ଶର୍ମା, ଅର୍ଶଦୀପ ସିଂ, ହର୍ଷିତ ରାଣା, ମୟଙ୍କ ଯାଦବ।