ମୁମ୍ବାଇ: ଟି-୨୦ ବିଶ୍ବକପ୍-୨୦୨୪ ଚାମ୍ପିଅନ ପରେ ରୋହିତ ଶର୍ମାଙ୍କ ଟିମ୍ ଖରାପ ପାଣିପାଗ ଯୋଗୁଁ ୱେଷ୍ଟଇଣ୍ଡିଜର ବାରବାଡୋସରେ ଫସିଛନ୍ତି। ମାତ୍ର ଯୁବ ଭାରତୀୟ ଟିମ୍ ଜିମ୍ବାୱେ ବିପକ୍ଷ ଶୃଙ୍ଖଳା ପାଇଁ ଭାରତ ଛାଡ଼ିଛନ୍ତି। ଯୁବ ଭାରତୀୟ ଟିମ୍ ଜିମ୍ବାୱେ ଅଭିମୁଖେ ବାହାରିଛନ୍ତି। ସେଠାରେ ଜୁଲାଇ ୬ ତାରିଖ ଠାରୁ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆରମ୍ଭ ହେବ।
ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟି-୨୦ ବିଶ୍ବକପ୍ ମଧ୍ୟରେ ଜିମ୍ବାୱେ ଶୃଙ୍ଖଳା ପାଇଁ ଭାରତୀୟ ଟିମ୍ର ଘୋଷଣା କରିଥିଲା। ଯୁବ ଖେଳାଳିଙ୍କୁ ନେଇ ଗଠିତ ଏହି ଟିମ୍ର ନେତୃତ୍ବ ନେବେ ଶୁଭମନ ଗିଲ୍। ଟି-୨୦ ବିଶ୍ବକପ ଖେଳିବାକୁ ଯାଇଥିବା କିଛି ଖେଳାଳିଙ୍କୁ ଏହି ଟିମ୍ରେ ସାମିଲ କରାଯାଇଛି। ମାତ୍ର ପାଗ ଖରାପ ଥିବାରୁ ତିନିଦିନ ହେଲା ଭାରତୀୟ ଟିମ୍ ବାରବାଡୋସରେ ଫସିରହିଛନ୍ତି। ଆଶା କରାଯାଉଛି ଆଜି ସନ୍ଧ୍ୟାରେ ଅଥବା ଆସନ୍ତାକାଲି ଭାରତୀୟ ଟିମ୍ ସେଠାରୁ ଆସିବେ। କିନ୍ତୁ ଜିମ୍ବାୱେ ଶୃଙ୍ଖଳା ପାଇଁ ଯେଉଁମାନେ ଭାରତରେ ଥିଲେ, ସେମାନେ ଶୃଙ୍ଖଳା ପାଇଁ ଦେଶ ଛାଡ଼ିଛନ୍ତି। ଭାରତୀୟ ଟିମ୍ରେ ମୁଖ୍ୟ କୋଚ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ସାମିଲ ଅଛନ୍ତି।
ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍)ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଜିମ୍ବାୱେ ବିପକ୍ଷ ଭାରତୀୟ ଟିମ୍ରେ ସାମିଲ କରାଯାଇଛି। ଅଭିଷେକ ଶର୍ମା, ରିୟାନ ପରାଗ, ତୁଷାର ଦେଶପାଣ୍ଡେ ପଦାର୍ପଣ କରିବାକୁ ଯାଉଛନ୍ତି।
ଭାରତୀୟ ଟିମ୍: ଶୁଭମନ ଗିଲ (ଅଧିନାୟକ) ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାର୍ଡ, ଅଭିଷେକ ଶର୍ମା, ରିଙ୍କୁ ସିଂହ, ସଂଜୁ ସାମସନ (ୱିକେଟକିପର), ଧ୍ରୁବ ଜୁରେଲ (ୱିକେଟକିପର), ରିୟାନ ପରାଗ, ୱାଶିଂଟନ ସୁନ୍ଦର, ରବି ବିଶ୍ନୋୟୀ, ଆବେଶ ଖାନ, ଖଲୀଲ ଅହମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ, ଶିଭମ ଦୁବେ।
୫ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ସମସ୍ତ ମ୍ୟାଚ ହରାରେ ସ୍ପୋର୍ସସ କ୍ଲବରେ ଖେଳାଯିବ। ଜୁଲାଇ ୬, ୭, ୧୦, ୧୩ ଓ ୧୪ରେ ଏହି ମ୍ୟାଚ ଗୁଡ଼ିକ ଖେଳାଳିବ।