ନୂଆଦିଲ୍ଲୀ: ରବିବାର ଖେଳାଯିବ ଟି-୨୦ ବିଶ୍ଵକପ୍ ୨୦୨୬ର ଫାଇନାଲ୍ ମ୍ୟାଚ୍। ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଭାରତ ଓ ନ୍ୟୁଜିଲାଣ୍ଡ। ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଦ୍ରୁତ ବୋଲର ଡେଲ୍ ଷ୍ଟେନ୍, ଯିଏ ୪୦୦ ରୁ ଅଧିକ ଟେଷ୍ଟ ୱିକେଟ୍ ନେଇଛନ୍ତି, ସେ ୨୦୨୬ ଟି-୨୦ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯଦି ନ୍ୟୁଜିଲ୍ୟାଣ୍ଡ ମାର୍ଚ୍ଚ ୮ ରେ ଅହମ୍ମଦାବାଦରେ ଭାରତଠାରୁ ହାରିଯାଏ, ତେବେ "ଚୋକର୍ସ" ଟ୍ୟାଗ୍ ନ୍ୟୁଜିଲାଣ୍ଡକୁ ଦିଆଯିବ।
ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟର ଏବି ଡିଭିଲିୟର୍ସଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କଥା ହୋଇ ଷ୍ଟେନ୍ କହିଛନ୍ତି, ସତ କହିବାକୁ ଗଲେ, ସମସ୍ତେ ଦକ୍ଷିଣ ଆଫ୍ରିକାକୁ 'ଚୋକର୍ସ' ବୋଲି କୁହନ୍ତି। କିନ୍ତୁ ମୁଁ କହିବାକୁ ଚାହେଁ ଯେ ନ୍ୟୁଜିଲାଣ୍ଡ ମଧ୍ୟ ଗୋଟିଏ ହେଲେ ବିଶ୍ଵକପ୍ ଜିତି ନାହିଁ ଏବଂ ସେମାନେ ଆମଠାରୁ ଅଧିକ ଫାଇନାଲରେ ପହଞ୍ଚିଛନ୍ତି। ତେଣୁ କୌଣସି ଆକ୍ରମଣାତ୍ମକ ରଣନୀତି ନୁହେଁ ବରଂ ନ୍ୟୁଜିଲାଣ୍ଡ ଦୟାକରି ଏହି ବିଶ୍ଵକପ୍ ଜିତନ୍ତୁ। ଷ୍ଟେନ ଏହା ମଧ୍ୟ କହିଛନ୍ତି, ଯଦି ନ୍ୟୁଜିଲାଣ୍ଡ ନ ଜିତେବେ, ତେବେ ମୁଁ ଆନୁଷ୍ଠାନିକ ଭାବରେ ତୁମକୁ 'ଚୋକର୍ସ'ର ଆଖ୍ୟା ଦେବି। ମୁଁ ନ୍ୟୁଜିଲାଣ୍ଡକୁ ଭଲ ପାଏ, କିନ୍ତୁ ସେମାନେ ଭାରତକୁ ପରାସ୍ତ କରିପାରିବେ ନାହିଁ।
ଡେଲ୍ ଷ୍ଟେନ୍ ସ୍ଵୀକାର କରିଛନ୍ତି ଯେ ଭାରତ ଟାଇଟଲ୍ ଜିତିବା ନେଇ ପ୍ରବଳ ଦାବିଦାର। କିନ୍ତୁ ନ୍ୟୁଜିଲାଣ୍ଡ ମଧ୍ୟ ଦମଦାର ପ୍ରଦର୍ଶନ କରୁଛି। ଭାରତକୁ ହରାଇବାକୁ ହେଲେ କିଓ୍ଵି ଦଳକୁ ଚମତ୍କାର ପ୍ରଦର୍ଶନ କରିବାକୁ ପଡ଼ିବ। ମୁଁ ଚାହେଁ ନ୍ୟୁଜିଲାଣ୍ଡ ଜିତୁ। କିନ୍ତୁ ସେମାନେ ଭାରତକୁ ପରାସ୍ତ କରିବେ କି? ହୁଏତ ନୁହେଁ। ଷ୍ଟେନ୍ଙ୍କ ମତରେ, ଭାରତ ଟୁର୍ଣ୍ଣାମେଣ୍ଟର ଫେଭରିଟ୍, ଏବଂ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ଏକ ଅସାଧାରଣ ପ୍ରଦର୍ଶନ କରିବାକୁ ପଡ଼ିବ।
ତଥାପି, ଅହମ୍ମଦାବାଦରେ ଭାରତୀୟ ଦଳର ରେକର୍ଡ ଖରାପ ରହିଛି। ଭାରତ ୨୦୨୩ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ଏହି ଗ୍ରାଉଣ୍ଡରେ ହାରିଥିଲା। ଚଳିତ ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ମଧ୍ୟ ଏହି ମଇଦାନରେ ଭାରତକୁ ପରାସ୍ତ କରିଥିଲା। ଏବେ ଦେଖିବାକୁ ବାକି ଅଛି ଯେ ନ୍ୟୁଜିଲାଣ୍ଡ ଭାରତକୁ ହରାଇ ପାରୁଛି କି ନାହିଁ।