ନୂଆଦିଲ୍ଲୀ: ଭାରତୀୟ ଦଳ ବିପକ୍ଷରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲ୍ ମ୍ୟାଚ୍ ହାରିବା ପରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ପାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଷ୍ଟିଭ୍ ସ୍ମିଥ କଙ୍ଗାରୁ ଦଳର ନେତୃତ୍ୱ ନେଇଥିଲେ । ମାତ୍ର ତାଙ୍କ ଅଧିନାୟକତ୍ୱରେ ଦଳ ସେମି ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା । ସ୍ମିଥ ଆଜି ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଥିଲେ ମଧ୍ୟ ସେ ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଖେଳିବା ଜାରି ରଖିବେ । ତାଙ୍କର ଇଚ୍ଛା ସେ ଦେଶ ପାଇଁ ଅଲିମ୍ପିକ୍ସ ୨୦୨୮ରେ ପ୍ରତିନିଧିତ୍ୱ କରନ୍ତୁ ।
କ୍ରିକେଟ୍ ଅଷ୍ଟ୍ରେଲିଆ ମୁତାବକ ସ୍ମିଥ ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଚୟନ ପାଇଁ ଉପଲବ୍ଧ ରହିବେ । ବୋଧହୁଏ ତାଙ୍କର ଏହି ଇଚ୍ଛା ଲସ ଏଞ୍ଜେଲ୍ସରେ ୨୦୨୮ ଅଲିମ୍ପିକ୍ସ କ୍ରୀଡାରେ ଦେଶ ପକ୍ଷରୁ ଖେଳିବାର ସ୍ୱପ୍ନକୁ ଦର୍ଶାଉଛି । ଦୁବାଇରେ ଚାମ୍ପିଅନ୍ସ ଟ୍ରଫି ସେମି ଫାଇନାଲରେ ହାରିବା ପରେ ନିଜ ନିଷ୍ପତ୍ତି ବିଷୟରେ ସାଥୀ ଖେଳାଳିଙ୍କୁ ଜଣାଇଥିଲେ । ସ୍ମିଥ କହିଥିଲେ ଯେ, ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେବାର ଏହା ହେଉଛି ପ୍ରକୃଷ୍ଟ ସମୟ ।
ସ୍ମି୍ମିଥ ନିଜର ପ୍ରେସ୍ ରିଲିଜରେ କହିଛନ୍ତି ଯେ, ଏହା ମୋ ପାଇଁ ଏକ ଚମତ୍କାର ଯାତ୍ରା ରହିଥିଲା । ମୁଁ ପ୍ରତି ମିନିଟର ଭରପୁର ଆନନ୍ଦ ନେଇଛି । ଅନେକ ଗୁଡାଏ ଅଦ୍ଭୁତ ଓ ସ୍ମରଣୀୟ ସ୍ମୃତି ମନରେ ରହିଛି । ଦୁଇଟି ବିଶ୍ୱକପ୍ ଜିତିବା ଏକ ଚମତ୍କାର ଉପଲବ୍ଧି । ଅନେକ ଯାତ୍ରାରେ ଅନେକ ସାଥୀ ମୋ ସହ ରହିଛନ୍ତି । ଏବେ ବାକି ଖେଳାଳିଙ୍କ ପାଇଁ ୨୦୨୭ ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି କରିବାର ଭଲ ସମୟ ମିଳିଛି । ମୋତେ ଲାଗିଲା ଯେ, ଏବେ ଦିନିକିଆ କ୍ରିକେଟରୁ ଅବସର ନେବାର ଏହା ହେଉଛି ପ୍ରକୃଷ୍ଟ ସମୟ । ଟେଷ୍ଟ କ୍ରିକେଟ୍ ଏବେ ମୋର ସର୍ବୋଚ୍ଚ ପ୍ରାଥମିକତା ରହିବ ।
ଜୁନ ୨ରେ ୩୬ ବର୍ଷ ବୟସରେ ପଦାର୍ପଣ କରୁଥିବା ଷ୍ଟିଭ ସ୍ମିଥ ୨୦୧୦ ଫେବୃଆରୀ ୧୯ରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆ କ୍ରିକେଟରେ ପଦାର୍ପଣ କରିଥିଲେ । ଆଉ ୨୦୨୫ ମାର୍ଚ୍ଚ ୪ ତାରିଖରେ ଭାରତ ବିପକ୍ଷରେ ନିଜର ଶେଷ ଦିନିକିଆ ଖେଳିଛନ୍ତି । ଏହି ୧୫ ବର୍ଷରେ ସେ ଅନେକ ଉପଲବ୍ଧି ନିଜ ନାମରେ କରିଛନ୍ତି । ପ୍ରାରମ୍ଭିକ କ୍ୟାରିୟରରେ ସେ ଜଣେ ଲେଗ୍ ସ୍ପିନର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଏମିତି ବ୍ୟାଟିଂ କଲେ ଯାହା ତାଙ୍କ ନାମରେ ଆଜି ଅନେକ ରେକର୍ଡ ରହିଛି ।
ସ୍ମିତ ଅଷ୍ଟ୍ରେଲିଆ ପକ୍ଷରୁ ୧୬୯ ଦିନିକିଆରୁ ୧୫୩ ଟି ଇନିଂସରେ ୪୩.୦୬ ହାରରେ ୫୭୨୭ ରନ କରିଛନ୍ତି । ଏଥିରେ ୧୨ ଶତକ ଓ ୩୪ ଅର୍ଦ୍ଧଶତକ ସାମିଲ । ସେ ୨୦ ଥର ଅପରାଜିତ ରହିଛନ୍ତି । ଦିିନିକିଆ କ୍ରିକେଟରେ ତାଙ୍କ ନାମରେ ୫୧୭ ଚୌକା ଓ ୫୭ ଛକା ରହିଛି ।