ଲକଡାଉନ 4.0ରେ ଖୋଲିବ ଖେଳ ଷ୍ଟାଡିୟମ, ଆଇପିଏଲ ଆୟୋଜନ ନେଇ ବଢିଲା ଆଶା
Khabar Odisha:Sports-stadium-to-open-in-Lockdown-40-high-hopes-for-IPL
ନୂଆଦିଲ୍ଲୀ, ମେ ୧୭ (ଖବର ଓଡ଼ିଶା):

କୋରୋନା ଜୀବାଣୁ ରୋକିବା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନକୁ ମେ 31 ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଲକଡାଉନ୍ 4 ରେ କ’ଣ ଉପଲବ୍ଧ ହେବ ଏବଂ କ’ଣ ବନ୍ଦ ହେବ ସେନେଇ ଗୃହ ମନ୍ତ୍ରଣାଳୟ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ କ୍ରୀଡା କମ୍ପ୍ଲେକ୍ସ ଏବଂ ଷ୍ଟାଡିୟମକୁ ବର୍ତ୍ତମାନ ଖୋଲିବାକୁ ଅନୁମତି ଦିଆଯାଇଛି।

ଗୃହ ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଷ୍ଟାଡିୟମ ଖୋଲିବ, କିନ୍ତୁ ଦର୍ଶକଙ୍କ ବିନା। ବର୍ତ୍ତମାନ ସବୁଠୁ ବଡ ପ୍ରଶ୍ନ ହେଉଛି ଦୁନିଆର ସବୁଠୁ ଧନୀ ଟି -20 କ୍ରିକେଟ୍ ଲିଗ୍ ଆଇପିଏଲ୍ ର ରାସ୍ତା ସଫା ହୋଇଛି କି? ଦର୍ଶକଙ୍କ ବିନା ଆଇପିଏଲ୍ ଆୟୋଜନ କରାଯାଇପାରିବ କି, ଯଦିଓ ବର୍ତ୍ତମାନ ଉପଲବ୍ଧ ସୂଚନା ଅନୁଯାୟୀ, କେବଳ ଅଭ୍ୟାସ ପାଇଁ କ୍ରୀଡା କମ୍ପ୍ଲେକ୍ସ ଏବଂ ଷ୍ଟାଡିୟମ୍ ଖୋଲାଯାଇଥିବା ଜଣାପଡିଛି |

ତେବେ ଏଠାରେ ସୂଚନାଯୋଗ୍ୟ ଯେ କରୋନା ଜୀବାଣୁ ମହାମାରୀ ହେତୁ ବିସିସିଆଇ ଆଇପିଏଲର 13 ତମ ସିଜିନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି, କିନ୍ତୁ ବୋର୍ଡ ଏକ ନୂତନ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ଚିନ୍ତା କରୁଛି। ଆଇପିଏଲ୍ 2020 ରଦ୍ଦ ହେଲେ ବିସିସିଆଇ 4,000 କୋଟି ଟଙ୍କା କ୍ଷତି ସହିବ ବୋଲି ଜଣାପଡିଛି |

ସେହିଭଳି ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -20 ବିଶ୍ୱକପ ଉପରେ ମଧ୍ୟ କୋଭିଡ -19 ମହାମାରୀର କଳା ବାଦଲ ଘୋଟି ରଖିଛି ଯାହାକୁ ନେଇ ଟି-ଟ୍ୱେଣ୍ଟି ବିଶ୍ୱକପ ଆୟୋଜନ ନେଇ ଆଶଙ୍କା ଲାଗି ରହିଛି । ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଟୁର୍ଣ୍ଣାମେଣ୍ଟକୁ 2022 ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ବିଚାର କରୁଛି । ଆଇସିସି ବୋର୍ଡ ସଦସ୍ୟମାନେ ମେ 28 ରେ ଏନେଇ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ବୋର୍ଡ ସଦସ୍ୟ କହିଛନ୍ତି ଯେ ଆଇସିସି ଟୁର୍ନାମେଣ୍ଟ ସ୍ଥଗିତ ରଖିବାକୁ ଚିନ୍ତା କରିପାରେ। ଏହି ବୋର୍ଡ ସଦସ୍ୟଙ୍କ ଅନୁଯାୟୀ କ୍ରିକେଟ୍ ଅଷ୍ଟ୍ରେଲିଆ (CA) ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିପାରିବ। ଯଦି ଟି ଟ୍ୱେଣ୍ଟି ବିଶ୍ୱକପ ସ୍ଥଗିତ ରଖାଯାଏ ତା ହେଲେ ସେହି ସମୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆୟୋଜନ ହେବାର ସମ୍ଭାବନା ବଢିଯାଇଛି ।

ଏହି ଆଇସିସି ପ୍ରତିଯୋଗିତା ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଅକ୍ଟୋବର 18 ରୁ ନଭେମ୍ବର 15 ପର୍ଯ୍ୟନ୍ତ ହେବାକୁ ପ୍ରସ୍ତାବ ରହିଛି।

  • Tags:

Subscribe

National International State Sports Entertainment