ଡବଲିନ୍, ଜୁନ୍ ୨୭ (ଖବର ଓଡ଼ିଶା): ଆୟରଲାଣ୍ଡର ରାଜଧାନୀ ଡବଲିନରେ ରବିବାର ଆରମ୍ଭ ହୋଇଥିବା ପ୍ରଥମ ଟି-୨୦ରେ ଭାରତୀୟ ଦଳର ଯୁବ କ୍ରିକେଟର ହୀପକ ହୁଡ୍ଡା ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଚମକିଛନ୍ତି । ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚରେ ଆୟରଲାଣ୍ଡକୁ ଭାରତ ୭ ୱିକେଟରେ ପରାସ୍ତ କରିଛି । ବର୍ଷା ବାଧିତ ମ୍ୟାଚ୍ରେ ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବର୍ଷା ଯୋଗୁଁ ମ୍ୟାଚ୍କୁ ଉଭୟ ପକ୍ଷରୁ ୧୨-୧୨ ଓଭର କରି ଦିଆଯାଇଥିଲା ।
ଆୟରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪ଟି ୱିକେଟ ହରାଇ ୧୦୮ ରନ୍ କରିଥିଲା । ଜବାବରେ ଭାରତ ୯.୩ ଓଭରରେ ୩ଟି ୱିକେଟ ହରାଇ ୧୧୧ ରନ୍ ସଂଗ୍ରହ କରି ମ୍ୟାଚ ଜିତିଥିଲା । ଦ ଭିଲେଜ ଷ୍ଟାଡିୟମରେ ହୋଇଥିବା ମୁକାବିଲାରେ ଦୀପକ ହୁଡ୍ଡା ବ୍ୟକ୍ତିଗତ ଭାବେ ଅପରାଜିତ ୪୭ ରନ୍ ସଂଗ୍ରହ କରିଥିଲେ । ସେ ୨୯ଟି ବଲ୍ ସାମ୍ନା କରି ୬ଟି ଚୌକା ଓ ୨ଟି ଚୌକା ମାରିଥିଲେ । ଈଶାନ କିଶନ ୧୧ଟି ବଲ୍ ଖେଳି ୩ଟି ଚୌକା ଓ ୨ଟି ଛକା ବଳରେ ୨୬ ରନ୍ କରିଥିଲେ । କିନ୍ତୁ ଯୁବ କ୍ରିକେଟର ସୂର୍ଯ୍ୟକୁମାର ଗୋଟିଏ ବଲ୍ ଖେଳି ପାଭଲିଅନ ଫେରିଯାଇଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡା ୧୨ଟି ବଲ୍ ଖେଳି ବ୍ୟକ୍ତିଗତ ଭାବେ ୨୪ ରନ୍ କରିଥିଲେ । ଦିନେଶ କାର୍ତ୍ତିକଙ୍କ ବ୍ୟାଟରୁ ୫ ରନ୍ ମିଳିଥିଲା ।
ଆୟରଲାଣ୍ଡ ପାଳିରେ ହେରି ଟେକଟର ସର୍ବାଧିକ ୬୪ ରନ୍ କରିଥିଲେ । ସେ ୩୩ଟି ବଲ୍ ଖେଳି ୬ଟି ଚୌକା ଓ ୩ଟି ଛକା ମାରିଥିଲେ । ୱିକେଟକିପର ବ୍ୟାଟର ଟୁକେର ୧୬ଟି ବଲ୍ ଖେଳି ୧୮ ରନ୍ କରିଥିଲେ । ଭାରତ ତରଫରୁ ଭୁବନେଶ୍ୱର କୁମାର, ହାର୍ଦ୍ଦିକ ପାଣ୍ଡ୍ୟା, ଆଭେସ ଖାନ ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।