ନଟିଂହାମ୍, ଜୁନ୍ ୧୫ (ଖବର ଓଡ଼ିଶା): ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଟିଂହାମ୍ରେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ରୋମାଞ୍ଚକର ଖେଳ ଦେଖିବାକୁ ମିଳିଛି । ଇଂଲଣ୍ଡକୁ ଏହି ମ୍ୟାଚ ଜିତିବା ପାଇଁ ଶେଷ ଦିନରେ ୨୯୯ ରନ୍ ସରକାର ଥିଲା । ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡ ଏହି ଲକ୍ଷ୍ୟକୁ ସହଜରେ ହାସଲ କରିଛି । ଦର୍ଶକଙ୍କୁ ଏହି ଟେଷ୍ଟ ମ୍ୟାଚ୍ ଦିନିକିଆ ଭଳି ଲାଗିଥିଲା ।
ଇଂଲଣ୍ଡ ଟିମ୍ରେ ବିଜୟ ହିରୋ ସାଜିଥିଲେ ଅଧିନାୟକ ବେନ୍ ଷ୍ଟୋକ୍ସ ଓ ଜନି ବେୟାରଷ୍ଟୋ । ସେମାନେ ଟେଷ୍ଟ ମ୍ୟାଚରେ ବିସ୍ଫୋରକ ଭଳି ବ୍ୟାଟିଂ କରି ଓ ଛକା-ଚୌକା ମାରିଥିଲେ । ଜନି ବେୟାରଷ୍ଟୋ ୯୨ଟି ବଲ୍ ଖେଳି ୧୩୬ ରନ୍ କରିଥିଲେ । ଏଥିରେ ୧୪ଟି ଚୌକା ଓ ୭ଟି ଛକା ସାମିଲ ଥିଲା । ବେୟାରଷ୍ଟୋଙ୍କ ବ୍ୟତୀତ ଅଧିନାୟକ ବେନ ଷ୍ଟୋକ୍ସ ଶେଷ ପର୍ଯ୍ୟନ୍ତ ରହି ନିଜର ଟିମ୍କୁ ବିଜୟ ଦେବାରେ ବଡ଼ ଭୂମିକା ତୁଲାଇଥିଲେ । ସେ ୭)ଟି ବଲ ଖେଳି ଅପରାଜିତ ୭୫ ରନ୍ କରିଥିଲେ । ଏଥିରେ ୧୦ଟି ଚୌକା ଓ ୪ ଛକା ଥିଲା । ଉଭୟ ଖେଳାଳି ଶେଷ ଦିନରେ ୧୨୧ଟି ବଲରେ ୧୭୯ ରନ୍ ଭାଗିଦାରୀ ହୋଇପାରିଥିଲେ ଓ ସେମାନେ ଇଂଲଣ୍ଡର ବିଜୟକୁ ସୁନିଶ୍ଚିତ କରିଦେଇଥିଲେ ।
ସୂଚନାଯୋଗ୍ୟ ଏହି ଶୃଙ୍ଖଳାରେ ନ୍ୟୁଜିଲାଣ୍ଡ ପ୍ରଥମ ପାଳିରେ ୫୫୩ ରନ୍ ସଂଗ୍ରହ କରିଥିଲା । ଜବାବରେ ଇଂଲଣ୍ଡ ୫୩୯ ରନ୍ ସଂଗ୍ରହ କରିଥିଲା । ସେହିପରି ୨ୟ ପାଳିରେ ନ୍ୟୁଜିଲାଣ୍ଡ ୨୮୪ ରନ୍ କରିଥିଲା ବେଳେ ଇଂଲଣ୍ଡର ସ୍କୋର ଏହି ପାଳିରେ ୫ଟି ୱିକେଟ ହରାଇ ୨୯୯ ରନ୍ ଥିଲା । ଇଂଲଣ୍ଡ ମ୍ୟାଚକୁ ୫ ୱିକେଟରେ ଜିତିଛି ।