ନୂଆଦିଲ୍ଲୀ, ଫେବୃଆରୀ ୨୧ (ଖବର ଓଡ଼ିଶା): ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୫ଟି ମ୍ୟାଚର ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଲା ପାଇଁ ଭାରତ ଶନିବାର ନିଜର ଦଳ ଘୋଷଣା କରିଛି । ଦୀର୍ଘ ୧୪ ମାସର ବ୍ୟବଧାନ ପରେ ଭାରତୀୟ ଟିମକୁ ଭୁବନେଶ୍ୱର କୁମାର ଫେରିଛନ୍ତି । ଏହି ଶୃଙ୍ଖଳାରେ କିଛି ନବାଗତ ଓ ଯୁବ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି । ଏଥିରେ ଈଷାନ କିଷାନ ମଧ୍ୟ ସ୍ଥାନ ପାଇଛନ୍ତି ।
ବାମହାତୀ ସ୍ପିନର କୁଳଦୀପ ଯାଦବ, ୱିକେଟକିପର ସଂଜୁ ସାମସନ ଓ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେଙ୍କୁ ଟିମର ବାହାରେ ରଖାଯାଇଛି । ଦ୍ରୁତ ବୋଲର ଯସପ୍ରୀତ ବୁମରାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ମହମ୍ମଦ ଶାମୀ ଓ ରବୀନ୍ଦ୍ର ଜାଦେଜା ଏବେ ଆଘାତରୁ ମୁକ୍ତି ପାଇପାରି ନାହାନ୍ତି । ଏହି ଶୃଙ୍ଖଳା ମାର୍ଚ୍ଚ ୧୨ରେ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବ । ସମସ୍ତ ମ୍ୟାଚ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଖେଳାଯିବ ।
ଭାରତୀୟ ଦଳରେ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେଏଲ ରାହୁଲ, ଶିଖର ଧୱନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ୱିକେଟକିପର), ଈଷାନ କିଷାନ (ୱିକେଟକିପର), ଯୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ରାହୁଲ ତିୱାଟିଆ, ଟି ନଟରାଜନ, ଭୁବନେଶ୍ୱର କୁମାର, ଦୀପକ ଚହର, ନଭଦୀପ ସଇନୀ ଓ ସାର୍ଦ୍ଦୁଲ ଠାକୁର ଅଛନ୍ତି ।