ନୂଆଦିଲ୍ଲୀ, ଜୁନ୍ ୨୮ (ଖବର ଓଡ଼ିଶା): ଟିମ୍ ଇଣ୍ଡିଆ ପାଇଁ ଖେଳିବା ପ୍ରତ୍ୟେକ ଖେଳାଳିଙ୍କ ବଡ଼ ସ୍ୱପ୍ନ ଥାଏ । ଭାରତୀୟ ଟିମ୍ ଏବେ ଆୟରଲାଣ୍ଡ ଗସ୍ତରେ ଅଛି । ଏହି ଟିମରେ ଏଭଳି ୨ ଜଣ ଖେଳାଳି ଅଛନ୍ତି, ଯେଉଁମାନେ କି ପଦାର୍ପଣ କରିବାକୁ ସୁଯୋଗର ଅପେକ୍ଷାରେ ଅଛନ୍ତି । ଏହି ଗସ୍ତର ୨ୟ ତଥା ଶେଷ ମ୍ୟାଚ୍ ଆଜି ଡବଲିନସ୍ଥିତ ଦ ଭିଲେଜ ଷ୍ଟାଡିୟମରେ ଭାରତୀୟ ସମୟ ରାତି ୯ଟାରୁ ଆରମ୍ଭ ହେବ ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଟିମ୍ ଆୟରଲାଣ୍ଡକୁ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକ ପଦାର୍ପଣ କରିଥିଲେ । କିନ୍ତୁ ଟିମରେ ୩୧ ବର୍ଷୀୟ ରାହୁଲ ତ୍ରିପାଠୀ ସାମିଲ ଅଛନ୍ତି । ତାଙ୍କୁ ପ୍ରଥମ ଥର ଟିମ ଇଣ୍ଡିଆରେ ସ୍ଥାନ ମିଳିଛି । ହେଲେ ରାହୁଲ ତ୍ରିପାଠୀ ପଦାର୍ପଣ କରିବାକୁ ଅପେକ୍ଷା କରିଛନ୍ତି । ଆଇପିଏଲରେ ଭଲ ପ୍ରଦର୍ଶନ ପାଇଁ ରାହୁଲ ତ୍ରିପାଠୀଙ୍କୁ ଟିମ୍ ଇଣ୍ଡିଆରେ ଚୟନ କରାଯାଇଛି । ପ୍ରଥମ ମ୍ୟାଚରେ ରାହୁଲ ସାମିଲ ନଥିଲେ ।
ଭାରତୀୟ ଟିମ୍ରେ ଅର୍ଶଦୀପ ସିଂହଙ୍କୁ ଲଗାତାର ୨ ଥର ସାମିଲ କରାଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ପଦାର୍ପଣ ପାଇଁ ସୁଯୋଗ ମିଳି ନାହିଁ । ଅର୍ଶଦୀପ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଅଂଶଗ୍ରହଣ କରିଥିଲେ । କିନ୍ତୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରି ନଥିଲେ ।
ସୂଚନାଯୋଗ୍ୟ, ଭାରତ ୨ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ଆୟରଲାଣ୍ଡ ବିପକ୍ଷରେ ୭ ୱିକେଟରେ ଜିତିଛି । ତେଣୁ ଦଳର ମନୋବଳ ମଜବୁତ ଅଛି । ଆଜି ୨ୟ ତଥା ଶେଷ ମ୍ୟାଚ ଜିତି ଶୃଙ୍ଖଳାକୁ ଏକତରଫା ଜିିତିବାକୁ ଚାହିଁବ । ଅପରପକ୍ଷେ ଘରୋଇ ଦଳ ମ୍ୟାଚ ଜିତି ଶୃଙ୍ଖଳାକୁ ବରାବର କରିବାକୁ ଚାହିଁବ ।