ଆଇପିଏଲ୍‌-୨୦୨୧ରେ ପ୍ରଥମ ଛକା ମାରିଲେ ଏମ୍‌ଏସ୍ ଧୋନୀ, ପ୍ରଶଂସକ ଦେଲେ ଏମିତି ପ୍ରତିକ୍ରିୟା
Khabar Odisha:Sports-IPL-2021-MS-Dhoni-hits-first-six-of-this-season-fans-goes-wild-on-social-media

ମୁମ୍ବାଇ, ଏପ୍ରିଲ ୨୨ (ଖବର ଓଡ଼ିଶା): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)୨୦୨୧ରେ ଚେନ୍ନାଇ ସୁପର କିଙ୍ଗ୍‌ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପ୍ରଥମ ଛକା ମାରିଛନ୍ତି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ସେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଏହି ଛକା ମାରି ଦର୍ଶକଙ୍କ ଦୃଦୟକୁ ଜିତିପାରିଛନ୍ତି । ଧୋନୀ ୮ଟି ବଲ ଖେଳି ୧୭ ରନ୍ ସଂଗ୍ରହ କରିଥିଲେ । ଏଥିରେ ୨ଟି ଚୌକା ଓ ଗୋଟିଏ ଛକା ମଧ୍ୟ ସାମିଲ ଥିଲା । ଧୋନୀଙ୍କ ଏହି ପ୍ରଦର୍ଶନରେ ଖୁସି ହୋଇ ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି ।

ଚେନ୍ନାଇର ପାଳିରେ କୋଲକାତାର ବୋଲର ପ୍ରସିଦ୍ଧ କୃଷ୍ଣ ୧୮ତମ ଓଭର ବୋଲିଂ କରିବାକୁ ଆସିଥିଲେ । ଏହି ଓଭରରୁ ଧୋନୀ ଗୋଟିଏ ଚୌକା ଓ ଛକା ମାରିଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟରେ ଧୋନୀଙ୍କ ବ୍ୟାଟରୁ ଏହା ଥିଲା ପ୍ରଥମ ଛକା । ଧୋନୀ ଏହା ପରେ ସୁନୀଲ ନାରାୟଣଙ୍କ ବଲରେ ମଧ୍ୟ ଏକ ଛକା ମାରିଥିଲେ । ଧୋନି କ୍ରିଜରେ କମ ସମୟ ରହିଥିଲେ ବି ଦର୍ଶକଙ୍କୁ ଆକର୍ଷିତ ଏବଂ ଖୁସି କରିପାରିଥିଲେ ।  

ଧୋନୀ ଯେତେବେଳେ ଚଳିତ ଆଇପିଏଲ୍‌ରେ ଏକ ଦର୍ଶନୀୟ ଛକା ମାରିଲେ, ସୋସିଆଲ ମିଡିଆରେ ପ୍ରଶଂସକମାନେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଥିଲେ । ଜଣେ ପ୍ରଶଂସକ ଏହି ଇନିଂସ ପୁରୁଣା ଦିନକୁ ମନେ ପକାଇ ଦେଇଛି । କେବଳ ସେତିକି ନୁହେଁ ସେ ଟୁଇଟରେ ଲେଖିଛନ୍ତି, ‘ମାହି ମାର୍ ରହା ହେ’ ।

ସୂଚନାଯୋଗ୍ୟ, ଆଇପିଏଲ ୨୦୨୧ର ୧୫ତମ ମ୍ୟାଚ ରୋମାଂଚକର ହୋଇଥିଲା । ଚେନ୍ନାଇ ସୁପର କିଙ୍ଗ୍‌ସ ସହ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖି ବୁଧବାର କୋଲକାତା ନାଇଟ ରାଇଡର୍ସ ୧୮ ରନ୍‌ରେ ପରାସ୍ତ ହୋଇଥିଲା । ଏହି ମ୍ୟାଚରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୨୨୦ ରନ୍ କରିଥିଲା । ଜବାବରେ କୋଲକାତା ୧୦ ୱିକେଟ୍ ହରାଇ ୨୦୨ ରନ୍ କରିପାରିଥିଲା । ଏଥି ସହ ଆଇପିଏଲ୍‌-୨୦୨୧ରେ ଚେନ୍ନାଇ ପ୍ରଥମ ମ୍ୟାଚ ହାରିବା ପରେ ଲଗାତାର ୩ଟି ମ୍ୟାଚରେ ବିଜୟୀ ହୋଇପାରିଛି । ଚେନ୍ନାଇକୁ ପ୍ରଥମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍‌ସ ହାତରୁ ହାରିବାକୁ ପଡିଥିଲା । ଏହା ପରେ ପଂଜାବ, ରାଜସ୍ଥାନ ଓ କୋଲକାତାକୁ କ୍ରମାଗତ ଭାବେ ପରାସ୍ତ କରିଛି ।  

 

  • Tags:

Subscribe

National International State Sports Entertainment