ତିରୁଅନନ୍ତପୁରମ, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା): ମା’ ଦୁର୍ଗାଙ୍କ ପାଇଁ ଉପସନାର ପର୍ବ ଗତ ୨୬ ତାରିଖ ଠାରୁ ଆରମ୍ଭ ହୋଇଯାଇଛି । ନବରାତ୍ରି ଅବସରରେ ଦେବୀପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି । ଭକ୍ତ ଓ ଶ୍ରଦ୍ଧାଳୁମାନେ ମା’ଙ୍କ ଆଶୀର୍ବାଦ ନେଉଛନ୍ତି । ଏହି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଯୋଡ଼ି ହୋଇଯାଇଛନ୍ତି ବିଦେଶୀ କ୍ରିକେଟର ।
ଭାରତ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜ କେରଳର ତିରୁଅନ୍ତପୁରମରେ ପଦ୍ମନାଭ ସ୍ୱାମୀ ମନ୍ଦିର ଦର୍ଶନ କରିଛନ୍ତି । କେଶବ ନିଜର ଇନଷ୍ଟାଗ୍ରାମ ଷ୍ଟୋରିରେ ଏହାକୁ ସେୟାର କରିଛନ୍ତି । ସେ ଶେୟାର କରିଥିବା ଫୋଟୋରେ ପାରଂପରିକ ଭାରତୀୟ ବେଶ ଧାରଣ କରିଛନ୍ତି । କେଶବ ଫଟୋ କ୍ୟାପଶନରେ ଲେଖିଛନ୍ତି, ସମସ୍ତଙ୍କୁ ନବରାତ୍ରିର ଅଭିନନ୍ଦନ ।
ସୂଚନାଯୋଗ୍ୟ, କେଶବ ପୂର୍ବରୁ ମଧ୍ୟ ହିନ୍ଦୁ ଦେବୀଦେବତାଙ୍କୁ ପୂଜାର୍ଚ୍ଚନା କରନ୍ତି । ବିଶେଷ ଭାବେ ହନୁମାନଙ୍କ ସେ ହେଉଛନ୍ତି ଜଣେ ବଡ଼ ଭକ୍ତ । ତାଙ୍କର ବଂଶଧର ଉତ୍ତର ପ୍ରଦେଶର ସୁଲତାନପୁରରୁ ଯାଇ ଦକ୍ଷିଣ ଆଫ୍ରିକାରେ ବସବାସ କରିଥିଲେ । କେଶବଙ୍କ ପିତା ଆତ୍ମାନନ୍ଦ ମହାରାଜ ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କର ବଂଶଧର ୧୮୭୪ ପାଖାପାଖି ସମୟରେ ସୁଲତାନପୁରରୁ ଯାଇ ଡର୍ବାନରେ ବସତି ସ୍ଥାପନ କରିଥିଲେ । ସେହି ସମୟରେ ଭାରତୀୟ ଲୋକେ ଖୁସିର ଜୀବନ ବିତାଇବା ପାଇଁ ଅର୍ଥାତ ରୋଜଗାର ପାଇଁ ଦକ୍ଷିଣ ଆଫ୍ରିକା ଯାଉଥିଲେ ।