ନୂଆଦିଲ୍ଲୀ, ସେପ୍ଟେମ୍ବର ୨୭ (ଖବର ଓଡ଼ିଶା): ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପୂର୍ବରୁ ଭାରତୀୟ ଟିମ୍କୁ ବଡ଼ ଝଟକା ଲାଗିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଟିମ୍ ଇଣ୍ଡିଆର ୨ ଜଣ ଷ୍ଟାର ଖେଳାଳି ହୀପକ ହୁଡ୍ଡା ଓ ମହମ୍ମଦ ଶାମୀ ଆଘାତ ଯୋଗୁଁ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି । ଏଥି ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିସିସିଆଇ ବିଶ୍ରାମ ଦେଇଛି । ଏହି ୩ ଜଣ ଖେଳାଳିଙ୍କ ଅନୁପସ୍ଥିତିରେ ଭାରତକୁ ସାମାନ୍ୟ ପ୍ରଭାବିତ ହେବାକୁ ପଡ଼ିପାରେ ।
ରିପୋର୍ଟ ଅନୁସାରେ ଏବେ ହାର୍ଦ୍ଦିକ ସ୍ଥାନରେ ସ୍ପିନର ଏବଂ ଅଲରାଉଣ୍ଡର ଶାହବାଜ ଅହମଦଙ୍କୁ ଟିମ୍ରେ ସ୍ଥାନ ମିଳିଛି । ସେହିପରି ଦୀପକ ହୁଡ୍ଡାଙ୍କ ସ୍ଥାନରେ ଶ୍ରେୟସ ଆୟର ଏବଂ ମହମ୍ମଦ ଶାମୀଙ୍କ ସ୍ଥାନରେ ଉମେଶ ଯାଦବ ଖେଳିବେ । ଉମେଶ ଯାଦବ ଟିମ୍ ସହିତ କେରଳର ତିରୁଅନନ୍ତପୁରମ ପହଞ୍ଚି ସାରିଛନ୍ତି । ସୂଚନାଯୋଗ୍ୟ, ଶାମୀଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ସୁଯୋଗ ମିଳିଥିଲା । ଦକ୍ଷିଣ ଆଫ୍ରିକା ରବିବାର ଠାରୁ କେରଳର ରାଜଧାନୀରେ ଅଛି ।
ଭାରତ ଓ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା
-ପ୍ରଥମ ଟି-୨୦: ସେପ୍ଟେମ୍ବର ୨୮ (ତିରୁଅନନ୍ତପୁରମ)
-ଦ୍ୱିତୀୟ ଟି-୨୦: ଅକ୍ଟୋବର ୨ (ଗୁଆହାଟୀ)
-ତୃତୀୟ ଟି-୨୦: ଅକ୍ଟୋବର ୪ (ଇନ୍ଦୋର)
-ପ୍ରଥମ ଦିନିକିଆ: ଅକ୍ଟୋବର ୬ (ଲଖନଉ)
-ଦ୍ୱିତୀୟ ଦିନିକିଆ: ଅକ୍ଟୋବର ୯ (ରାଞ୍ଚି)
-ତୃତୀୟ ଦିନିକିଆ: ଅକ୍ଟୋବର ୧୧: (ଦିଲ୍ଲୀ)
ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତୀୟ ଟିମ୍: ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ଦିନେଶ କାର୍ତ୍ତିକ (ୱିକେଟକିପର), ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ଦୀପକ ଚାହର, ଜସପ୍ରୀତ ବୁମରା, ଉମେଶ ଯାଦବ, ଶ୍ରେୟସ ଆୟର