ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସରେ ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ଆଲଜେରିଆର ବକ୍ସର ଇମାନ ଖଲିଫ ପୁଣି ଥରେ ବିବାଦରେ । ଏକ ଡାକ୍ତରୀ ରିପୋର୍ଟରୁ ସେ ଜଣେ ମହିଳା ନୁହନ୍ତି ବରଂ ପୁରୁଷ ବୋଲି ଜଣା ପଡିଛି । ଏହି କାରଣରୁ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ କହିଛନ୍ତି, ତାଙ୍କଠୁ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଫେରାଇ ନିଆଯାଉ । ସେ ସ୍ୱର୍ଣ୍ଣ ପଦକ ପାଇଁ ଯୋଗ୍ୟ ନୁହନ୍ତି । ଯେବେ ପ୍ୟାରିସରେ ନିଜର ପ୍ରଥମ ମୁକାବିଲାରେ ଗୋଟିଏ ମିନିଟ୍ ପୂର୍ବରୁ ଇମାନ ଖଲିଫଙ୍କ ବିରୋଧରେ ଇଟାଲୀର ଆଞ୍ଜେଲା କାରିନି ଖେଳିବାକୁ ମନା କରି ଦେଇଥିଲେ, ସେହି ସମୟରେ ଖୁବ୍ ବିବାଦ ଦେଖା ଦେଇଥିଲା ।
କେବଳ ଏତିକି ନୁହେଁ, ୨୦୨୩ରେ ବକ୍ସିଂ ବିଶ୍ୱ ଚାମ୍ପିଅନଶିପରେ ସ୍ୱର୍ଣ୍ଣ ପଦକ ଜିତିବାର କିଛି ଘଣ୍ଟା ପୂର୍ବରୁ ଇମାନ ଖଲିଫଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । କାରଣ ତାଙ୍କର ଗୁଣ ସୂତ୍ର ଏକ୍ସ ୱାଇ ମିଳିଥିଲା । କିନ୍ତୁ ମହିଳାଙ୍କ ଠାରେ ଗୁଣସୂତ୍ର ଏକ୍ସ ଏକ୍ସ ରହିଥାଏ । ପ୍ୟାରିସ ଅଲିମ୍ପିକ୍ସ ସମୟରେ ଏଲନ ମସ୍କଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଏହି ପ୍ରସଙ୍ଗ ଉଠାଇଥିଲେ । ଆଉ ଏବେ ତାଙ୍କର ମେଡିକାଲ ରିପୋର୍ଟ ସାମ୍ନାକୁ ଆସିବା ପରେ ପୁଣି ଥରେ ବିବାଦ ଦେଖା ଦେଇଛି । ହରଭଜନ ସିଂ ସ୍ପଷ୍ଟ ଭାବେ କହିଛନ୍ତି, ତାଙ୍କଠୁ ପଦକ ଛଡାଇ ନିଆଯାଉ ।
ରେଡକ୍ସର ରିପୋର୍ଟ ଅନୁଯାୟୀ, ଲିକ୍ ହୋଇଥିବା ମେଡିକାଲ୍ ରିପୋର୍ଟ ୨୦୨୩ ଜୁନରେ ପ୍ୟାରିସର କ୍ରେମଲିନ-ବିସେଟ୍ରେ ହସ୍ପିଟାଲ୍ ଓ ଅଲଜିୟର୍ସର ମହମ୍ମଦ ଲାମିନ ଡେବାଗିନ ହସ୍ପିଟାଲର ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଏଥିରେ ଇମାନ ଖଲିଫଙ୍କ ଜୈବିକ ଲକ୍ଷଣ ବିଷୟରେ ଉଲ୍ଲେଖ କରାଯାଇଥିଲା । ଏଥିରୁ ଜଣା ପଡିଥିଲା ଯେ, ଇମାନ ଖଲିଫ ମହିଳା ନୁହନ୍ତି ଜଣେ ପୁରୁଷ ।