ମୁୁମ୍ବାଇ: ନିଜ ଘରୋଇ ମାଟିରେ ଭାରତୀୟ ବ୍ୟାଟର ଏମିତି ଦୟନୀୟ ପ୍ରଦର୍ଶନ କରିବେ କୌଣସି କ୍ରିକେଟ୍ ପ୍ରେମୀ ସ୍ୱପ୍ନରେ ସୁଧା ଭାବି ନ ଥିଲେ । ପ୍ରଥମ ଦୁଇଟି ଟେଷ୍ଟରେ ଶୋଚନୀୟ ପରାଜୟ ପରେ ଆଶା କରାଯାଉଥିଲା ଭାରତୀୟ ଦଳ ମୁମ୍ବାଇ ଟେଷ୍ଟ ଜିତି ନିଜର ସମ୍ମାନ ରଖି ପାରିବ । ହେଲେ ତୃତୀୟ ଟେଷ୍ଟରେ ଭାରତୀୟ ବ୍ୟାଟର ଆହୁରି ଲଜ୍ଜାଜନକ ପ୍ରଦର୍ଶନ କରି ଦଳକୁ ହରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ତୃତୀୟ ଟେଷ୍ଟକୁ ନ୍ୟୁଜିଲାଣ୍ଡ ୨୫ ରନରେ ଜିତି ସିରିଜ ୩-୦ରେ କ୍ଲିନ ସୁଇପ୍ କରି ଇତିହାସ ରଚିଛି । ନ୍ୟୁଜିଲାଣ୍ଡ ଦ୍ୱାରା ଧାର୍ଯ୍ୟ ୧୪୭ ରନକୁ ପିଛା କରିବାକୁ ଯାଇ ଭାରତ କିୱି ସ୍ପିନର ଏଜାଜ ପଟେଲଙ୍କ ଆଗରେ ଆତ୍ମ ସମର୍ପଣ କରି ୧୨୧ ରନରେ ଅଲଆଉଟ୍ ହୋଇଛି । ଆଉ ଦୀର୍ଘ ୯୧ ବର୍ଷ ପରେ ଭାରତ ନିଜ ଘରୋଇ ମାଟିରେ ଟେଷ୍ଟ ସିରିଜରେ ୩-୦ରେ ମୂଳପୋଛ ହେବାର ଅପବାଦ ମୁଣ୍ଡାଇଛି ।
ନ୍ୟୁଜିଲାଣ୍ଡର ଦ୍ୱିତୀୟ ଇନିଂସକୁ ଭାରତୀୟ ବୋଲର ୧୭୪ ରନରେ ରୋକିବା ପରେ ପ୍ରଥମ ଇନିଂସରେ ଅଗ୍ରଣୀ ଭିତ୍ତିରେ ଭାରତକୁ ୧୪୩ ରନ ବିଜୟ ଲକ୍ଷ୍ୟ ମିଳିଥିଲା । ହେଲେ ଅଧିନାୟକ ରୋହିତ ଶର୍ମା(୧୧)ଙ୍କ ଆଉଟ୍ ହେବା ସହ ଭାରତର ୱିକେଟ୍ ପତନ ଆରମ୍ଭ ହୋଇଥିଲା । ଋଷଭ ପନ୍ତଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟର ନ୍ୟୁଜିଲାଣ୍ଡର ସ୍ପିନ ବୋଲିଂର ମୁକାବିଲା କରି ପାରି ନ ଥିଲେ । ଏଜାଜ ପଟେଲଙ୍କ ଘାତକ ବୋଲିଂ ଆଗରେ ଭାରତୀୟ ବ୍ୟାଟର ଆତ୍ମସମର୍ପଣ କରିଥିଲେ । ସ୍ଥିତି ଏମିତି ଯେ, ତିନି ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଥିଲେ । ପନ୍ତ ଗୋଟିଏ ପଟେ ମୋର୍ଚ୍ଚା ସମ୍ଭାଳିଥିବା ବେଳେ ଅନ୍ୟ ପଟୁ କୌଣସି ବ୍ୟାଟର ତାଙ୍କୁ ସହାୟତା ଦେଇ ନ ଥିଲେ । ଫଳରେ ଭାରତ ୧୪୩ ରନର ବିଜୟ ଲକ୍ଷ୍ୟଠୁ ବି ୨୩ ରନରେ ଦୂରରେ ରହିଗଲା ।
ନ୍ୟୁଜିଲାଣ୍ଡର ଯେଉଁ ସ୍ପିନ ବୋଲିଂ ସାମ୍ନାରେ ଭାରତୀୟ ବ୍ୟାଟର ବିବଶ ନଜର ଆସୁଥିଲେ ସେଠି ପନ୍ତ ଧୂଆଁଧାର ବ୍ୟାଟିଂ କରିଥିଲେ । ବିବାଦୀୟ ଢଙ୍ଗରେ ଏଲବିଡବ୍ଲ୍ୟୁ ଆଉଟ୍ ହେବା ସହ ଭାରତର ବିଜୟ ଆଶା ମଉଳି ଯାଇଥିଲା । ପନ୍ତ ୫୭ ବଲରୁ ୯ ଚୌକା ଓ ୧ ଛକା ସହ ୬୪ ରନ କରିଥିଲେ । ୱାଶିଂଟନ ସୁନ୍ଦର ୧୨ ରନ କରିଥିବା ବେଳେ ବିରାଟ କୋହଲି(୧), ଶୁଭମନ ଗିଲ(୧), ଜୟସ୍ୱାଲ(୫) ନିରାଶ କରିଥିଲେ । ପୁଣି ଥରେ ସରଫରାଜ ଖାନ(୧) ବେପରୁଆ ସଟ୍ ଖେଳି ଆଉଟ୍ ହୋଇଥିଲେ । ରବୀନ୍ଦ୍ର ଜାଡେଜା(୬) ଓ ରବିଚନ୍ଦ୍ରନ ଅଶ୍ୱିନ(୮) ମଧ୍ୟ ଅସଲ ସମୟରେ ବିଫଳ ହୋଇଥିଲେ । ଏହିପରି ଭାରତ ୧୨୧ ରନରେ ଅଲଆଉଟ୍ ହେବା ସହ ସିରିଜରେ ୦-୩ରେ ମୂଳପୋଛ ହୋଇଛି ।
ନ୍ୟୁଜିଲାଣ୍ଡର ଏହି ଐତିହାସିକ ବିଜୟରେ ଏଜଜା ପଟେଲ୍ ହିରୋ ସାଜିଛନ୍ତି । ସେ ୫୭ ରନ ଦେଇ ୬ଟି ୱିକେଟ୍ ନେଇଥିବା ବେଳେ ଗ୍ଲେନ ଫିଲିପ୍ସଙ୍କ ଖାତାକୁ ୩ ୱିକେଟ୍ ଯାଇଛି । ମ୍ୟାଟ୍ ହେନରୀ ଗୋଟିଏ ସଫଳତା ପାଇଛନ୍ତି । ସୂଚନାଯୋଗ୍ୟ, ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୩୫ ରନରେ ଅଲଆଉଟ୍ ହୋଇଥିଲା । ଜବାବରେ ଭାରତ ଶୁଭମନ ଗିଲଙ୍କ ୯୦ ଓ ପନ୍ତଙ୍କ ୬୦ ରନ ବଳରେ ୨୬୩ ରନ କରି ୨୮ ରନର ଅଗ୍ରଣୀ ହାସଲ କରିଥିଲା । ଏହା ପରେ ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ୧୭୪ ରନରେ ଅଲଆଉଟ୍ ହୋଇଥିଲା ।