ନୂଆଦିଲ୍ଲୀ: ଦୀର୍ଘ ଗୋଟିଏ ବର୍ଷ ପରେ ଫେରିଲେ ଷ୍ଟାର ଭରୋତ୍ତୋଳକ ମୀରାବାଇ ଚାନୁ। ମୀରାବାଇ ନିଜ ଖ୍ୟାତି ଅନୁଯାୟୀ ପ୍ରଦର୍ଶନ କରି ସୋମବାର ଏଠାରେ ଅନୁଷ୍ଠିତ କମନୱେଲ୍ଥ ଭାରୋତ୍ତୋଳନ ଚାମ୍ପିଅନସିପରେ ନୂତନ ରେକର୍ଡ ସ୍ଥାପନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟୀ ମୀରାବାଇ ମହିଳା ୪୮ କିଲୋଗ୍ରାମ ଓଜନ ବର୍ଗରେ ମୋଟ ୧୯୩ କିଲୋଗ୍ରାମ (୮୪ କିଲୋଗ୍ରାମ + ୧୦୯ କିଲୋଗ୍ରାମ) ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ୩୧ ବର୍ଷୀୟ ଖେଳାଳି ପୂର୍ବରୁ ୪୯ କିଲୋଗ୍ରାମରେ ଅଂଶଗ୍ରହଣ କରୁଥିଲେ କିନ୍ତୁ ଏହି ଓଜନ ବର୍ଗ ଆଉ ଅଲିମ୍ପିକ୍ସରେ ସାମିଲ ନାହିଁ।
ଗତବର୍ଷ ଅଗଷ୍ଟରେ ପ୍ୟାରିସ୍ ଅଲିମ୍ପିକ୍ସ ପରେ ମୀରାବାଇ ପ୍ରଥମ ଥର ପାଇଁ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ସେ ପ୍ୟାରିସ୍ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ। ଆଘାତ ଯୋଗୁଁ ମୀରାବାଇ ଗତ ଗୋଟିଏ ବର୍ଷରେ କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରି ନଥିଲେ। ତେଣୁ ତାଙ୍କୁ ଲୟ ଫେରି ପାଇବାକୁ ସମୟ ଲାଗିଥିଲା।
ତୃତୀୟ ପ୍ରୟାସ ବିଫଳ
ସ୍ନାଚ୍ରେ ସେ ୮୪ କିଲୋଗ୍ରାମର ପ୍ରଥମ ପ୍ରୟାସରେ ଝୁଣ୍ଟି ପଡ଼ିଥିଲେ। ତାଙ୍କର ଡାହାଣ ଆଣ୍ଠୁରେ ସମସ୍ୟା ଥିବା ଦେଖାଯାଉଥିଲା, କିନ୍ତୁ ଦ୍ୱିତୀୟ ପ୍ରୟାସରେ ସେ ସମାନ ଓଜନ ଉଠାଇଥିଲେ। ତାଙ୍କର ୮୯ କିଲୋଗ୍ରାମର ତୃତୀୟ ପ୍ରୟାସ ମଧ୍ୟ ବିଫଳ ହୋଇଥିଲା। ମୀରାବାଇ ପ୍ରକୃତରେ ନିଜ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସେ କ୍ଲିନ୍ ଆଣ୍ଡ୍ ଜର୍କରେ ୧୦୫ କିଲୋଗ୍ରାମ ଉଠାଇବା ଆରମ୍ଭ କରିଥିଲେ। ସେ ଏହାକୁ ୧୦୯ କିଲୋଗ୍ରାମକୁ ବୃଦ୍ଧି କରିଥିଲେ ହେଁ ଶେଷ ପ୍ରୟାସରେ ୧୧୩ କିଲୋଗ୍ରାମ ପୂରଣ କରିପାରି ନଥିଲେ।
ଆଇରିନ୍ ହେନରୀ ରୌପ୍ୟ ଜିତିଥିଲେ
ମାଲେସିଆର ଆଇରିନ୍ ହେନରୀ ୧୬୧ କିଲୋଗ୍ରାମ (୭୩ କିଲୋଗ୍ରାମ + ୮୮ କିଲୋଗ୍ରାମ) ଉଠାଇ ରୌପ୍ୟ ପଦକ ଜିତିଛନ୍ତି। ୱେଲ୍ସର ନିକୋଲ ରବର୍ଟସ୍ ୧୫୦ କିଲୋଗ୍ରାମ (୭୦ କିଲୋଗ୍ରାମ + ୮୦ କିଲୋଗ୍ରାମ) ଉଠାଇ କାଂସ୍ୟ ପଦକ ଜିତିଥିଲେ। ମୀରାବାଇ ଏହିପରି ୪୮ କିଲୋଗ୍ରାମରେ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ସମାନ ଓଜନ ବର୍ଗରେ ବିଶ୍ୱ ଚାମ୍ପିଅନସିପ୍ ଟାଇଟଲ୍ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦୁଇଟି ପଦକ ଜିତିଥିଲେ, କିନ୍ତୁ ୨୦୧୮ ପରେ ସେ ୪୯ କିଲୋଗ୍ରାମ ବର୍ଗରେ ଚ୍ୟାଲେଞ୍ଜିଂ କରୁଥିଲେ।