ଆଇପିଏଲ ୨୦୨୩ ଶେଷ ହୋଇଯାଇଛି । ଆଉ ଏହା ସହିତ ଶେଷ ହୋଇଛି ଆଇପିଏଲରୁ ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ଲାଗି ରହିଥିବା ସସପେନ୍ସ । ଗତକାଲି ଚେନ୍ନାଇ ସୁପରକିଙ୍ଗ୍ସ ପଞ୍ଚମ ଥର ପାଇଁ ଆଇପିଏଲ ଚାମ୍ପିୟନ ହେବା ପରେ ବେଶ୍ ଭାବବିହ୍ୱଳ ହୋଇପଡ଼ିଥିବା ଧୋନି ଏବେ ଅବସର ନେଉନାହାନ୍ତି ବୋଲି ଜଣାଇଛନ୍ତି । ଦର୍ଶକଙ୍କ ଉତ୍ସାହକୁ ନଜରରେ ରଖି ସେମାନଙ୍କୁ ଉପହାର ଦେବା ପାଇଁ ଆସନ୍ତା ସିଜିନରେ ଖେଳିବେ । ଚେନ୍ନାଇର ପ୍ରଶଂସକମାନେ ଯେଉଁ ଉତ୍ସାହ ଦେଖାଇଛନ୍ତି, ସେମାନଙ୍କ ପାଇଁ କିଛି କରିବା ଆବଶ୍ୟକ । ଏହା ସହ ସେ କହିଛନ୍ତି, ଯଦି ବର୍ତମାନର ସ୍ଥିତିକୁ ଦେଖାଯାଏ ତେବେ ଅବସର ନେବାର ଏହା ହେଉଛି ସଠିକ୍ ସମୟ । ତଥାପି ସେ ତାଙ୍କ ଫ୍ୟାନ ମାନଙ୍କ ପାଇଁ ଏହା କରିବାକୁ ପ୍ରସ୍ତୁତ। ଏହା ସେମାନଙ୍କ ପାଇଁ ତାଙ୍କ ତରଫରୁ ଏକ ଉପହାର ହେବ।ହେଲେ ଆସନ୍ତା ୯ ମାସ ପର୍ଯ୍ୟନ୍ତ ଅନେକ ପରିଶ୍ରମ କରି ଫେରିବା ଏବଂ ଆଉ ଏକ ସିଜିନ୍ ଖେଳିବା ତାଙ୍କ ପାଇଁ ବେଶ୍ କଷ୍ଟକର ବୋଲି ଧୋନୀ କହିଛନ୍ତି ।
ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଗତକାଲି ଚେନ୍ନାଇ ସୁପରକିଙ୍ଗସ ପଞ୍ଚମ ଥର ପାଇଁ ଆଇପିଏଲରେ ଚାମ୍ପିୟନ ହୋଇଛି । ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚ୍ରେ ଡିଏଲ୍ଏସ୍ ମେଥଡରେ ଗୁଜରାଟ ଟାଇଟନ୍ସକୁ ୫ ୱିକେଟ୍ରେ ପରାସ୍ତ କରିଛି ଦଳ । ଗତକାଲି ଧୋନି ତାଙ୍କ ଆଇପିଏଲ କ୍ୟାରିୟରର ୨୫୦ ତମ ମ୍ୟାଚ୍ ଖେଳିଥିଲେ । ଆଇପିଏଲରେ ୨୫୦ଟି ମ୍ୟାଚ୍ ଖେଳିବାରେ ସେ ହେଉଛନ୍ତି ଏକମାତ୍ର ଖେଳାଳି। ତା’ମଧ୍ୟରୁ ୨୨୬ଟି ମ୍ୟାଚ୍ରେ ସେ ନେତୃତ୍ୱ ନେଇଛନ୍ତି ଆଉ ଏହା ମଧ୍ୟ ଏକ ରେକର୍ଡ । ଆଇପିଏଲରେ ସର୍ବାଧିକ ମ୍ୟାଚ୍ ଖେଳିବାରେ ଧୋନିଙ୍କ ପଛରେ ରହିଛନ୍ତି ରୋହିତ ଶର୍ମା। ସେ ୨୪୩ଟି ମ୍ୟାଚ୍ ଖେଳିଥିବା ବେଳେ ଦୀନେଶ କାର୍ତ୍ତିକ ୨୪୨, ବିରାଟ କୋହଲି ୨୩୭ ଓ ରବୀନ୍ଦ୍ର ଜାଡ଼େଜା ୨୨୬ଟି ମ୍ୟାଚ୍ ଖେଳିଛନ୍ତି। ଧୋନି ଆଇପିଏଲରେ ଦୁଇଟି ଫ୍ରାଞ୍ଚାଇଜ୍ ପାଇଁ ଖେଳିଛନ୍ତି। ୨୦୧୬ ଓ ୨୦୧୭ ସିଜିନରେ ସେ ରାଇଜିଂ ପୁନେ ସୁପର ଜାଏଣ୍ଟସ ପକ୍ଷରୁ ଖେଳିଥିବା ବେଳେ ବାକି ସବୁ ସିଜିନ ଚେନ୍ନାଇ ସୁପରକିଙ୍ଗସ ତରଫରୁ ଖେଳିଛନ୍ତି ।