ନୂଆଦିଲ୍ଲୀ: ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜର ଶେଷ ତଥା ପଞ୍ଚମ ମ୍ୟାଚ୍ ଖେଳାଯିବ । ଏ ପର୍ଯ୍ୟନ୍ତ ଭାରତ ସିରିଜରେ ୩-୧ରେ ଅଗ୍ରଣୀ ହାସଲ କରିବା ସହ ସିରିଜ୍ କବଜା କରି ସାରିଛି । ପଞ୍ଚମ ଟି-୨୦ କେବଳ ଔପଚାରିକତା ବାକି ରହିଛି । ଏମିତିରେ ଭାରତୀୟ ଦଳ ଆଜି ଅନେକ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇପାରେ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ କୋଚ ଗୌତମ୍ଭ ଗମ୍ଭୀରଙ୍କୁ ଚୂଡାନ୍ତ ଏକାଦଶ ଚୟନ ପାଇଁ ବହୁତ ଚିନ୍ତା କରିବାକୁ ପଡିପାରେ ।
ମହମ୍ମଦ ଶାମିଙ୍କ ଚୂଡାନ୍ତ ଏକାଦଶରେ ଚୟନ ନିଶ୍ଚିତ ଲାଗୁଛି । ସେ ଚତୁର୍ଥ ଟି-୨୦ ମ୍ୟାଚ୍ ଖେଳି ନ ଥିଲେ । ବୋଲି କୋଚ୍ ମର୍ଣ୍ଣିଂ ମୋର୍କେଲ୍ ମଧ୍ୟ ଏହାର ସଙ୍କେତ ଦେଇ ସାରିଛନ୍ତି । କୁହାଯାଉଛି ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କୁ ଅନ୍ତିମ ଟି-୨୦ରେ ବିଶ୍ରାମ ଦିଆଯିବ । କାରଣ ତାଙ୍କୁ ଦିିନିକିଆ ସିରିଜ୍ ଓ ଚାମ୍ପିଅନ୍ସ ଟ୍ରଫି ଖେଳିବାର ଅଛି । ଅକ୍ଷର ପଟେଲଙ୍କ ସ୍ଥାନରେ ରମଣଦୀପ ସିଂଙ୍କୁ ସୁଯୋଗ ମିଳିପାରେ । ଚତୁର୍ଥ ଟି-୨୦ରେ କନକ୍ସନ ସବଷ୍ଟିଚ୍ୟୁଟ୍ ଭାବେ ଖେଳିଥିବା ହର୍ଷିତ ରାଣାଙ୍କୁ ଆଜିର ମ୍ୟାଚରେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ ।
ଭାରତୀୟ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ
ସଞ୍ଜୁ ସାମସନ(ୱିକେଟ୍ କିପର), ଅଭିଷେକ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଶିବମ ଦୁବେ, ରିଙ୍କୁ ସିଂ, ରମଣଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ହର୍ଷିତ ରାଣା ଓ ମହମ୍ମଦ ଶାମି ।
ଅନ୍ୟପଟେ ଇଂଲଣ୍ଡ ପଞ୍ଚମ ଟି-୨୦ ପାଇଁ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିନି । କୁହାଯାଉଛି ଇଂଲଣ୍ଡ ନିଜ ଦଳରେ ଅନେକ ପରିବର୍ତ୍ତନ କରିପାରେ । ଜେମି ଓଭରଟନଙ୍କୁ ବାଦ୍ ଦିଆଯାଇପାରେ ଏବଂ ଗସ ଏଟିଙ୍କସନ କିମ୍ବା ଜେମି ସ୍ମିଥଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ ।