ପଲ୍ଲେକେଲ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ଶନିବାର ପଲ୍ଲେକେଲ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଛି। ଏହି ମ୍ୟାଚରେ ଭାରତୀୟ ଟିମ୍ ୪୩ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ମୁକାବିଲାରେ ଶ୍ରୀଲଙ୍କାକୁ ୨୧୪ ରନ୍ର ବିଜୟ ଲକ୍ଷ୍ୟ ମିଳିଥିଲା। କିନ୍ତୁ ଘରୋଇ ଟିମ୍ ୧୯.୨ ଓଭରରେ ୧୭୦ରନ୍ରେ ଆଉଟ୍ ହୋଇଯାଇଥିଲେ। ଏହି ବିଜୟର ସହିତ ଗୌତମ ଗମ୍ଭୀର ବର୍ତ୍ତମାନ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ବିଜୟ ଅଭିଯାନ କରିଛନ୍ତି। ଉଭୟ ଟିମ୍ ମଧ୍ୟରେ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଆଜି ଏହି ପଡ଼ିଆରେ ଖେଳାଯିବ।
ଏହି ମୁକାବିଲାରେ ଶ୍ରୀଲଙ୍କା ଟିମ୍ ଲକ୍ଷ୍ୟ ପଛରେ ଗୋଡେଇ ଏକଦା ୧୪ ଓଭରରେ ଗୋଟିଏ ୱିକେଟ୍ ହରାଇ ୧୪୦ ରନ୍ ସଂଗ୍ରହ କରିଥିଲେ। ସେହି ସମୟରେ କ୍ରୀଡ଼ା ପ୍ରଶଂସକମାନେ ପୂର୍ବାନୁମାନ କରୁଥିଲେ ଯେ, ଶ୍ରୀଲଙ୍କା ମ୍ୟାଚ୍ ଜିତିଯାଇପାରେ। ମାତ୍ର ୧୫ତମ ଓଭରରେ ଅକ୍ଷର ପଟେଲ ପଥୁମ ନିସଙ୍କା ଓ କୁସଲ ପରେରାଙ୍କୁ ଆଉଟ୍ କରି ଶ୍ରୀଲଙ୍କାର ଗଣିତ ଓଲଟାଇ ଦେଇଥିଲେ। ଏହା ପରେ ଶ୍ରୀଲଙ୍କା ଟିମ୍ ଟ୍ରାକ୍ରୁ ଖସିପଡ଼ିଥିଲା। ଫଳସ୍ବରୂପ ୩୦ ରନ୍ଷର ଶ୍ରୀଲଙ୍କା ୯ଟି ୱିକେଟ୍ ହରାଇଥିଲା।
ଶ୍ରୀଲଙ୍କା ପକ୍ଷରୁ ପ୍ରାରମ୍ଭିକ ବ୍ୟାଟର ପଥୁମ ନିସଙ୍କା ସର୍ବାଧିକ ୭୯ ରନ୍ ସଂଗ୍ରହ କରିଥିଲେ। ସେ ନିଜର ଇନିଂସରେ ୭ଟି ଚୌକା ଓ ୪ଟି ଛକା ମାରିଥିଲେ। କୁସଲ ମେଣ୍ଡିସ ୭ଟି ଚୌକା ଓ ଗୋଟିଏ ଛକା ବଳରେ ୨୭ଟି ବଲ୍ ଖେଳି ୪୫ ରନ୍ କରିଥିଲେ। ଏହା ବ୍ୟତୀତ କୁସଲ ପରେରା (୨୦) ଓ କାମିନ୍ଦୁ ମେଣ୍ଡିସ (୧୨) ଦୁଇ ଅଙ୍କ ବିଶିଷ୍ଟ ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ରିୟାନ ପରାଗ ୫ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ। ଅକ୍ଷର ପଟେଲ ଓ ଅର୍ଶଦୀପ ସିଂହଙ୍କୁ ୨-୨ ୱିକେଟ ମିଳିଥିଲା। ମହମ୍ମଦ ସିରାଜ ଓ ରବି ବିଶ୍ନୋୟୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।
ଭାରତର ଇନିଂସରେ ଯଶସ୍ବୀ ଜୟସ୍ବାଲ ଓ ଶୁଭମନ ଗିଲ ୬ ଓଭରରେ ୭୪ ରନ୍ ସଂଗ୍ରହ କରିଥିଲେ। ଉଭୟ ଖେଳାଳି ଆଉଟ୍ ହେଲା ପରେ ସୂର୍ଯ୍ୟକୁମାର ଯାଦବ ଓ ଋଷଭ ପନ୍ତ ମୋର୍ଚ୍ଚା ସମ୍ଭାଳି ଥିଲେ। ପନ୍ତ-ସୂର୍ଯ୍ୟ ତୃତୀୟ ୱିକେଟ୍ ପାଇଁ ୭୬ ରନ୍ ସଂଗ୍ରହ କରିଥିଲେ। ସୂର୍ଯ୍ୟକୁମାର ୨୨ଟି ବଲ୍ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୮ଟି ଚୌକା ଓ ୨ଟି ଛକା ମାରିଥିଲେ।