ନୂଆଦିଲ୍ଲୀ: ଭାରତୀୟ ଦଳ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି। କୋଲକାତାର ଇଡେନ ଗାର୍ଡେନ୍ସରେ ପ୍ରଥମ ମ୍ୟାଚ୍ ସନ୍ଧ୍ୟା ୭ଟାରେ ଖେଳାଯିବ। ଇଂଲଣ୍ଡ ଏହାର ପ୍ରଥମ ଏକାଦଶ ଘୋଷଣା କରିଛି ସେପଟେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଚୂଡ଼ାନ୍ତ ଏକାଦଶ ଟସ୍ ସମୟରେ ଘୋଷଣା କରାଯିବ। କୋଲକାତା ପଡ଼ିଆରେ ଭାରତୀୟ ଦଳର ରେକର୍ଡ ବହୁତ ଦୃଢ଼, କିନ୍ତୁ ଏହା ଭାରତ ପାଇଁ ଏକ ସତର୍କ ଘଣ୍ଟି ମଧ୍ୟ। ବାସ୍ତବରେ ଭାରତୀୟ ଦଳ ଇଡେନ୍ ଗାର୍ଡେନ୍ ରେ ମୋଟ ୮ଟି ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ସେଥିରୁ ଗୋଟିଏରେ ପରାଜୟ ବରଣ କରିଛି। ଗୋଟିଏ ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଥିଲା।
ସତର୍କ ସଙ୍କେତ ହେଉଛି ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଏହି ପଡ଼ିଆରେ ଖେଳାଯାଇଥିବା ଏକମାତ୍ର ମ୍ୟାଚ୍ ହାରିଛି। ଅକ୍ଟୋବର ୨୯, ୨୦୧୧ରେ ଇଡେନ ଗାର୍ଡେନରେ ଟିମ୍ ଇଣ୍ଡିଆ ନିଜର ପ୍ରଥମ ଟି-୨୦ ମ୍ୟାଚ୍ ଖେଳିଥିଲା। ଏହି ପରିପ୍ରେକ୍ଷୀରେ ଇଂଲଣ୍ଡ ଦଳ ଏଥର ପୁଣି ଥରେ ଆଧିପତ୍ୟ ବିସ୍ତାର କରିପାରେ। ଏଥିପାଇଁ ଭାରତୀୟ ଦଳକୁ ସତର୍କ ରହିବାକୁ ପଡ଼ିବ। ସେହି ପ୍ରଥମ ମୁକାବିଲାରେ ଇଂଲଣ୍ଡ ଭାରତୀୟ ଦଳକୁ ୬ ୱିକେଟରେ ପରାସ୍ତ କରିଥିଲା। ସେହି ସମୟରେ ଭାରତୀୟ ଦଳର ନେତୃତ୍ୱ ମହେନ୍ଦ୍ର ସିଂହ ଧୋନି ନେଉଥିବା ବେଳେ ଇଂଲଣ୍ଡ ଦଳ ଗ୍ରେମ୍ ସ୍ୱାନଙ୍କ ନେତୃତ୍ୱରେ ଥିଲା। ଏବେ ଇଂଲଣ୍ଡ ଦଳ ନିଜର ଦ୍ୱିତୀୟ ଟି-୨୦ ମ୍ୟାଚ୍ ଇଡେନ୍ ଗାର୍ଡେନ୍ ରେ ଖେଳିବ ଏବଂ ଏହା ଭାରତୀୟ ଦଳର ନବମ ମ୍ୟାଚ୍ ହେବ।
ସେହି ପ୍ରଥମ ମ୍ୟାଚ୍ରେ ବିରାଟ କୋହଲି ୧୬ ବଲ୍ରୁ ୧୫ ରନ୍ କରିଥିଲେ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୯ ଓ୍ଵିକେଟ୍ ହରାଇ ୧୨୦ ରନ୍ କରିଥିଲା। ଜବାବରେ ଇଂଲଣ୍ଡ ୧୮.୪ ଓଭରରେ ୪ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା।
ଭାରତ-ଇଂଲଣ୍ଡ ଟି-୨୦ ମୁହାଁମୁହିଁ
-ସମୁଦାୟ ମ୍ୟାଚ୍ ୨୪
-ଭାରତ ୧୩ଟିରେ ବିଜୟୀ
-ଇଂଲଣ୍ଡ ୧୧ଟିରେ ବିଜୟୀ
ଭାରତର ସମ୍ଭାବିତ ଏକାଦଶ: ସଞ୍ଜୁ ସାମସନ(ୱିକେଟ୍ କିପର), ଅଭିଷେକ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ରିଙ୍କୁ ସିଂ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ମହମ୍ମଦ ଶାମି ଓ ଅର୍ଶଦୀପ ସିଂ
ଇଂଲଣ୍ଡର ଚୂଡାନ୍ତ ଏକାଦଶ: ଫିଲ ସଲ୍ଟ, ବେନ ଡକେଟ୍, ଜୋସ ବଟଲର(ଅଧିନାୟକ ଓ ୱିକେଟ୍ କିପର), ଜ୍ୟାକବ ବିଥଲ, ହ୍ୟାରି ବ୍ରୁକ, ଲିୟାମ ଲିଭିଙ୍ଗଷ୍ଟୋନ, ଜେମି ଓଭରଟନ,ଜୋଫ୍ରା ଆର୍ଚର, ଆଦିଲ ରଶିଦ, ମାର୍କ ଉଡ ଓ ଗସ ଏଟକିନ୍ସନ