ନୂଆଦିଲ୍ଲୀ: ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦ୍ଵିତୀୟ ଟେଷ୍ଟରେ ଘରୋଇ ଭାରତକୁ ୧୧୩ ରନରେ ହରାଇ ତିନି ମ୍ୟାଚ୍ ଟେଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି। ନ୍ୟୁଜିଲାଣ୍ଡର ସ୍ପିନ ବୋଲିଂ ସାମ୍ନାରେ ଆତ୍ମ ସମର୍ପଣ କରିଛନ୍ତି ଭାରତୀୟ ବ୍ୟାଟର । ପୁଣେରେ ଖେଳା ଯାଇଥିବା ମ୍ୟାଚ୍କୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ନେତୃତ୍ଵ ଉପରେ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି, ରୋହିତଙ୍କୁ ଟେଷ୍ଟ କ୍ରିକେଟରେ ଟି-୨୦ର ମାନସିକତାକୁ ପରିତ୍ୟାଗ କରିବାକୁ ପଡିବ ।
ସଞ୍ଜୟ ମାଞ୍ଜରେକର କହିଛନ୍ତି, ଯଶସ୍ଵୀ ଜୟସ୍ଵାଲ ଓ ଶୁଭମନ ଗିଲ୍ ବ୍ୟାଟିଂ କରୁଥିବା ସମୟରେ ଲାଗୁଥିଲା ଦଳ ନିଜର ଇତିହାସକୁ ଦୋହରାଇ ବିଜୟ ହାସଲ କରିବ । ତଥାପି ବ୍ୟାଟିଂ ବେଳେ ଗିଲ୍ ସ୍ପିନରଙ୍କ ବିରୋଧରେ ନିଜକୁ ଅସହଜ ମନେ କରୁଥିଲେ। ଆଉ ଏହାର ଶିକାର ବି ହେଲେ । ବିରାଟ କୋହଲି ପୁଣି ଥରେ ବଲର ଲାଇନକୁ ପଢିବାରେ ବିଫଳ ହେଲେ। ରୋହିତଙ୍କ ନିକଟରେ ଧୈର୍ଯ୍ୟର ଅଭାବ ରହିଛି । ଏହିପରି ଟପ୍ ୪ରୁ ୩ ଖେଳାଳି ସ୍ପିନ ବୋଲିଂ ବିରୋଧରେ ଆତ୍ମବିଶ୍ଵାସ ଜଣା ପଡ଼ୁ ନ ଥିଲେ। ଯଦି ଭାରତ ନିଜର ଡିଫେନ୍ସକୁ ମଜବୁତ କରିପାରିଥାନ୍ତା ତେବେ ମ୍ୟାଚ୍ରେ ଫଳାଫଳ ଭିନ୍ନ ହୋଇଥାନ୍ତା ବୋଲି ଏହି ପୂର୍ବତନ କ୍ରିକେଟର କହିଛନ୍ତି ।
ମାଞ୍ଜରେକର କହିଛନ୍ତି, ସରଫରାଜ ଖାନଙ୍କୁ ବ୍ୟାଟିଂ ପାଇଁ ନିମ୍ନକ୍ରମରେ ପଠାଇବା ଏବଂ ତାଙ୍କ ଉପରେ ଓ୍ଵାଶିଂଟନ ସୁନ୍ଦରଙ୍କୁ ପଠାଇବା ଏହା ଦଳ ଭିତରେ ଆତ୍ମ ବିଶ୍ୱାସର ଅଭାବ ଥିବାରୁ ଦର୍ଶାଏ । ଟେଷ୍ଟ କ୍ରିକେଟରେ ଏମିତି ରଣନୀତି ଅଧିକାଂଶ ସମୟ କାମ କରେ ନାହିଁ। ରୋହିତ ଶର୍ମାଙ୍କୁ ଏମିତି ରଣନୀତିରୁ ଦୂରେଇ ରହିବା ଉଚିତ୍। ତାଙ୍କୁ ଟି-୨୦ ମାନସିକତାରୁ ଓହରିବାକୁ ପଡିବ । ଟେଷ୍ଟରେ ବଲକୁ ସମ୍ମାନ ଦେବାକୁ ପଡିବ। ମ୍ୟାଚ୍ରେ ସର୍ବଦା ଲେଫ୍ଟ ଓ ରାଇଟ୍ ହ୍ୟାଣ୍ଡ କମ୍ବିନେସନର ଆବଶ୍ୟକତା ନାହିଁ। ଆମକୁ କେବଳ ନିଜ ଖେଳାଳିଙ୍କ କ୍ଷମତା ସହିତ ଆଗକୁ ବଢିବାକୁ ପଡ଼ିବ।
ସୂଚନାଯୋଗ୍ୟ, ପୁଣେ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୫୯ ରନ କରିଥିଲା । ଜବାବରେ ଭାରତ ୧୫୬ ରନରେ ଅଲଆଉଟ୍ ହୋଇଥିଲା । ଏଥିରେ ମିଚେଲ୍ ସାଣ୍ଟନର ୭ ବ୍ୟାଟରଙ୍କୁ ଆଉଟ୍ କରିଥିଲେ । ଦ୍ୱିତୀୟ ଇନିଂସରେ ଭ୍ରମଣକାରୀ ଦଳ ୨୫୫ ରନ କରି ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଭାରତକୁ ୩୫୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଜବାବରେ ଭାରତୀୟ ଦଳ ୨୪୫ ରନରେ ଅଲଆଉଟ୍ ହୋଇଥିଲା । ଏହି ଇନିଂସରେ ବି ଭାରତୀୟ ବ୍ୟାଟର ମିଚେଲ୍ ସାଣ୍ଟନରଙ୍କ ଆଗରେ ଆତ୍ମ ସମର୍ପଣ କରିଥିଲେ ।