ନୂଆଦିଲ୍ଲୀ: ଏସିଆନ କ୍ରିକେଟ୍ କାଉନସିଲ(ଏସିସ) ମୁଖ୍ୟ ମହସିନ ନକଭି ଓ ବିସିସିଆଇ ମଧ୍ୟରେ ମଙ୍ଗଳବାର ସେପ୍ଟେମ୍ବର ୩୦ରେ ଏସିଆ କପ୍ ଟ୍ରଫିକୁ ନେଇ ଖୁବ ଯୁକ୍ତିତର୍କ ହୋଇଛି । ଭାରତୀୟ ଖେଳାଳି ପିସିବି ମୁଖ୍ୟଙ୍କଠୁ ଟ୍ରଫ ନେବାକୁ ମନା କରି ଦେଇଥିଲା । ସଦ୍ୟତମ ସୂଚନା ଅନୁଯାୟୀ ମହସିନ ନକଭି ଏହାକୁ ନେଇ ଖୁବ ଅସନ୍ତୋଷ ଅଛନ୍ତି । ମଞ୍ଚ ଉପରେ ସେ କାର୍ଟୁନ ପରି ଛଡା ହୋଇ ରହିଲେ ଏବଂ ଭାରତୀୟ ଦଳ ଟ୍ରଫି ନେବାକୁ ଆସିଲେ ନାହିଁ ।
ମହସିନ ନକଭି ଟ୍ରଫି ଓ ବିଜେତା ପଦକ ସହ ମଞ୍ଚରେ ଥିଲେ, ମାତ୍ର ଭାରତୀୟ ଖେଳାଳି ଓ ଅଧିନାୟକ ଟ୍ରଫି ନେବାକୁ ଆସି ନ ଥିଲେ । ଏହା ପରେ ସେ ମଞ୍ଚରୁ ଓହ୍ଲାଇ ଷ୍ଟାଡିୟମ ବାହାରକୁ ଚାଲି ଯାଇଥିଲେ । ଏପରିକି ଟ୍ରଫି ଓ ମେଡାଲକୁ ଧର ହୋଟେଲ୍ ଚାଲିଗଲେ । ରିପୋର୍ଟ ଅନୁଯାୟୀ, ମହସିନ ନକଭି କହିଛନ୍ତି, ମଞ୍ଚ ଉପରେ ନିଜକୁ ସେ କାର୍ଟୁନ ପରି ଅନୁଭବ କରିଥିଲେ । ମଞ୍ଚ ଉପରେ ଚାମ୍ପିଅନ ଭାରତୀୟ ଦଳର ଖେଳାଳିଙ୍କୁ ଅପେକ୍ଷା କରି ସେ ନିଜକୁ ଲଜ୍ଜିତ ମଣୁଥିଲେ ।
ବିସିସିଆଇ ପକ୍ଷରୁ ଏସିସିର ମିଟିଂରେ ଆଶିଷ ସେଲାର ଓ ରାଜୀବ ଶୁକ୍ଳା ଯୋଗ ଦେଇଥିଲେ । ଉଭୟ ମହସିନ ନକଭିଙ୍କ ଉପରେ ଚାପ ପକାଇଥିଲେ । ଶୁକ୍ଳା ଓ ସେଲାର ନିଜ ତର୍କରେ କହିଛନ୍ତି ଯେ, ଏସିସିକୁ ନିଜର ଟ୍ରଫି କାର୍ଯ୍ୟାଳୟରେ ରଖିବା ଉଚିତ୍ । ବିସିସିଆଇ ସେଠାରୁ ହିଁ ଟ୍ରଫି ନେବ । ହେଲେ ଏହା ବି ମାନିବାକୁ ନାରାଜ ଏସିସି ଅଧ୍ୟକ୍ଷ ତଥା ପାକିସ୍ତାନର ଗୃହ ମନ୍ତ୍ରୀ ମହସିନ ନକଭି । ଅନଲାଇନ ଜରିଆରେ ମିଟିଂରେ ସାମିଲ ହୋଇଥିବା ବିସିସିଆଇର ସଦସ୍ୟ ସ୍ପଷ୍ଟ କରି ଦେଇଛନ୍ତି ଯେ, ଏହାକୁ ନେଇ ଆଇସିସି ନିକଟରେ ଅଭିଯୋଗ କରାଯିବ । ଏହା ପରେ ବିସିସିଆଇ ଅଧିକାରୀ ବୈଠକରେ ଉଠି ଚାଲି ଯାଇଥିଲେ ।