ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ୨୯ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଦୁଇ ଦଳ ମଧ୍ୟରେ ଏହି ମୁକାବିଲା ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ଚଳିତ ସିଜିନରେ ଦିଲ୍ଲୀ ନିଜର ୪ଟି ମ୍ୟାଚରୁ ୪ ବିଜୟ ସହ ଅପରାଜେୟ ରହିଛି । ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ୫ଟି ଖେଳି ୪ ପରାଜୟ ସହ ନିରାଶଜନକ ପ୍ରଦର୍ଶନ କରିଛି ।
ଦୁଇ ଦଳ ମଧ୍ୟରେ ୩୫ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ ମୁମ୍ବାଇ ୧୯ଟି ଜିତିଥିବା ବେଳେ ଦିଲ୍ଲୀ ୧୬ଟି ଜିତିଛି । ଗତ ସିଜିନରେ ଦୁଇ ଦଳ ଦୁଇ ଥର ମୁହାଁମୁହିଁ ହୋଇଥିଲେ । ଏଥିରୁ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲେ । ଅନ୍ୟପଟେ ଅରୁଣ ଜେଟଲୀ ଷ୍ଟାଡିୟମରେ ଦୁଇ ଦଳ ୧୨ଥର ମୁହାଁମୁହିଁ ହୋଇଛନ୍ତି । ଏଥିରୁ ଦିଲ୍ଲୀ ୭ ଓ ମୁମ୍ବାଇ ୫ଟି ମ୍ୟାଚ୍ ଜିତିଛି ।
ଗତ ୫ଟି ମ୍ୟାଚ୍ ଉପରେ ନଜର ପକାଇଲେ ମୁମ୍ବାଇର ପଲ୍ଲା ଭାରି ରହିଛି । ଦଳ ତିନୋଟି ଜିତିଥିବା ବେଲେ ଦିଲ୍ଲୀକୁ ୨ଟି ବିଜୟ ମିଳିଥିଲା । ହେଲେ ଚଳିତ ସିଜିନରେ ଦିଲ୍ଲୀର ଦମଦାର ପ୍ରଦର୍ଶନ ଜାରି ରହିଛି । ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ମୁମ୍ବାଇ ନବମରେ ରହିଛି । ଆଜି ମୁମ୍ବାଇ ମ୍ୟାଚ୍ ଜିତି ନିଜର ପରାଜୟ ଉପରେ ବ୍ରେକ ଲଗାଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଅନ୍ୟପଟେ ଦିଲ୍ଲୀ ନିଜର ବିଜୟ ଅଭିଯାନ ଜାରି ରଖିବାକୁ ଚେଷ୍ଟା କରିବ ।