ମୁୁମ୍ବାଇ: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ମୁମ୍ବାଇର ବାନ୍ଦ୍ରା ଫ୍ୟାମିଲି କୋର୍ଟ ପହଞ୍ଚିଛନ୍ତି । ଏଠାରେ ଚହଲ-ଧନଶ୍ରୀ ବର୍ମାଙ୍କ ଛାଡପତ୍ର କେସର ଶୀଘ୍ର ଶୁଣାଣି ଆରମ୍ଭ ହେବ । କୁହାଯାଉଛି ଚହଲ ଓ ଧନଶ୍ରୀଙ୍କ ମଧ୍ୟରେ ଏଲିମନି ଅର୍ଥାତ ଭରଣପୋଷଣ ବାବଦ ଖର୍ଚ୍ଚକୁ ନେଇ ସହମତି ପ୍ରକାଶ ପାଇଛି । ଏଲିମନି ବାବଦରେ ଧନଶ୍ରୀଙ୍କୁ ଚହଲ ୪.୭୫ କୋଟି ଟଙ୍କା ଦେବେ । ଏଥିରୁ ୨.୩୭ କୋଟି ଟଙ୍କା ପ୍ରଥମ କିସ୍ତିରେ ଦେଇ ସାରିଛନ୍ତି । ବାକି ରାଶି ଚହଲ ଆଗାମୀ ସମୟରେ ଦେବେ ।
ବର୍ତ୍ତମାନ ସଭିଙ୍କ ନଜର ଫ୍ୟାମିଲି କୋର୍ଟ ଉପରେ ରହିଛି । ଏହି ହାଇ ପ୍ରୋଫାଇଲ ଛାଡପତ୍ରକୁ ବାନ୍ଦ୍ରା ଫ୍ୟାମିଲି କୋର୍ଟ ଆନୁଷ୍ଠାନିକ ରୂପ ଦେବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ. ୟୁଜବେନ୍ଦ୍ର ଚହଲଙ୍କ ମୋଟ୍ ସଂପତ୍ତି ପରିମାଣ ୪୫ କୋଟି । ଏଥିରେ ବିସିସିଆଇ କଣ୍ଟ୍ରାକ୍ଟ ବ୍ୟତୀତ ଆଇପିଏଲ୍, ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଓ ଅନ୍ୟ ନିବେଶ ସାମିଲ । ଚହଲ ବିସିସିଆଇର ଗ୍ରେଡ ସିରେ ଅନୁବନ୍ଧ ଅଛନ୍ତି । ଏଥିରେ ତାଙ୍କୁ ବାର୍ଷିକ ଏକ କୋଟି ଟଙ୍କା ମିଳୁଛି । ଏହା ବାଦ୍ ଚହଲ ଆଇପିଏଲରୁ ମୋଟା ଅଙ୍କର ଆୟ କରନ୍ତି । ଗତ ବର୍ଷ ନିଲାମରେ ପଞ୍ଜାବ କିଙ୍ଗ୍ସ ୟୁଜବେନ୍ଦ୍ର ଚହଲଙ୍କୁ ୧୮ କୋଟି ଟଙ୍କାରେ କିଣିଥିଲା ।
ଉଲ୍ଲେଖନୀୟ ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ଲଭ ଷ୍ଟୋରୀ ପ୍ରାୟ ୫ ବର୍ଷ ତଳେ ଆରମ୍ଭ ହୋଇଥିଲା । ଏହା ପରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ମାତ୍ର ଶୀଘ୍ର ହିଁ ଉଭୟଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା । ଗତ ମାସରେ ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା ପରସ୍ପର ସହମତିରେ ମୁମ୍ବାଇ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ମୁମ୍ବାଇ ଫ୍ୟାମିଲି କୋର୍ଟରେ ଦିଆଯାଇଥିବା କାଗଜପତ୍ର ଅନୁସାରେ ଉଭୟ ଦୀର୍ଘ ସମୟରୁ ଅଲଗା ରହୁଛନ୍ତି । ଆଜି ଏହି ହାଇ ପ୍ରୋଫାଇଲ ଛାଡପତ୍ରକୁ ବାନ୍ଦ୍ରା ଫ୍ୟାମିଲି କୋର୍ଟ ଆନୁଷ୍ଠାନିକ ରୂପ ଦେବ ।