କଟକ: ଭାରତ-ଇଂଲଣ୍ଡ ଦିନିକିଆ ପରେ ଆଜି ବାରବାଟୀ ଷ୍ଟାଡିୟମରେ ଖେଳାଯିବ ସେଲିବ୍ରିଟି କ୍ରିକେଟ୍ ମ୍ୟାଚ୍ । ମ୍ୟାଚ୍ ଦେଖିବାକୁ କଟକ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ବାରବାଟୀ ଷ୍ଟାଡିୟମରେ ଅପରାହ୍ଣ ୧ଟା ୧୦ ମିନିଟରେ ପହଞ୍ଚିବା ଏବଂ ୩ଟା ୩୦ରେ ପ୍ରସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି ।
ସେଲିବ୍ରିଟି କ୍ରିକେଟ୍ ଲିଗକୁ ନେଇ ଷ୍ଟାଡିୟମରେ ପ୍ରସ୍ତୁତି ଶେଷ ହୋଇଛି । ସେଲିବ୍ରିଟି କ୍ରିକେଟ୍ ଲିଗର ୨ଟି ମ୍ୟାଚ୍ ଆଜି ବାରବାଟୀରେ ଖେଳାଯିବ । ଅପରାହ୍ଣ ୨ଟାରେ ପଞ୍ଜାବ ଦେଶେର ଓ ଭୋଜପୁରୀ ଦବଙ୍ଗ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ । ଏହା ପରେ ସନ୍ଧ୍ୟା ୬ଟା ୩୦ରେ ମୁମ୍ବାଇ ହିରୋସ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ମ୍ୟାଚକୁ ନେଇ ଓସିଏ ପକ୍ଷର ସଂପୂର୍ଣ୍ଣ ପ୍ରସ୍ତୁତି ସରିଛି ।
ସୂଚନାଯୋଗ୍ୟ, ଫେବୃଆରୀ ୯ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଦିନିକିଆ ଖେଳା ଯାଇଥିଲା । ଏହି ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ । ମ୍ୟାଚରେ ଭାରତୀୟ ଦଳ ବିଜୟୀ ହୋଇଥିଲେ ହେଁ, ଫ୍ଲଡ ବିଭ୍ରାଟ କାରଣରୁ ଓଡିଶା ଓ ଓସିଏକୁ ବେଶ ନିନ୍ଦିତ ହେବାକୁ ପଡିଛି । ଭାରତ ବ୍ୟାଟିଂ ବେଳେ ଗୋଟିଏ ଟାୱାରର ଫ୍ଲଡ ଲାଇଟ ଲିଭି ଯିବାରୁ ଖେଳ ପ୍ରାୟ ୩୦ ମିନିଟ୍ ବନ୍ଦ ରହିଥିଲା । ଆଗାମୀ ଦିନରେ ଯେମିତି ଏମିତି ସ୍ଥିତିର ପୁନରାବୃତ୍ତି ନ ହୁଏ ସେଥିପାଇଁ ଓସିଏ ପକ୍ଷରୁ ଅଧିକ ଜେନେରେଟରର ବ୍ୟବସ୍ଥା କରାଯାଇଛି ।