ତ୍ରୁଟି ସୁଧରିଲା ଆଇସିସି ,ଟେଷ୍ଟରେ ଅଷ୍ଟ୍ରେଲିଆ ୧ନଂ ସ୍ଥାନରେ
Khabar Odisha:Australia-continue-atop-Test-rankings-after-latest-update
ଖବର ଓଡିଶା : 16/02/2023:

ଟେଷ୍ଟ ରାଙ୍କିଙ୍ଗରେ କରିଥିବା ତ୍ରୁଟିକୁ ସୁଧାରିଛି ଆଇସିସି । ଭାରତ ନୁହେଁ ଟେଷ୍ଟରେ ଅଷ୍ଟ୍ରେଲିଆ ୧ନଂ ସ୍ଥାନରେ ରହିଥିବା ଆଇସିସି କହିଛି। ଗତକାଲି ମଧ୍ୟାହ୍ନରେ ଆଇସିସି ପକ୍ଷରୁ ଟେଷ୍ଟ ଟିମ୍‌ ରାଙ୍କିଙ୍ଗକୁ ଅପଡେଟ କରାଯାଇଥିଲା। ଏହି ସମୟରେ ଭାରତ ରାଙ୍କିଙ୍ଗର ୧ ନଂ ସ୍ଥାନରେ ପହଞ୍ଚି ଯାଇଥିବା ଦର୍ଶାଯାଇଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମ ଖବର ମଧ୍ୟ ପ୍ରସାରଣ କରିଥିଲେ। ଭାରତ ପ୍ରଥମଥର ପାଇଁ ଦିନିକିଆ, ଟେଷ୍ଟ ଓ ଟି-୨୦ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିବା ଭଳି କୀର୍ତ୍ତିମାନ ମଧ୍ୟ ହାସଲ କରିଥିବା ସୋଶାଲ ମିଡିଆରେ ଟ୍ରେଣ୍ଡ କରିଥିଲା। କିନ୍ତୁ ସନ୍ଧ୍ୟା ବେଳକୁ ଆଇସିସି ତା’ ୱେବସାଇଟ୍‌ରେ ଦେଖାଦେଇଥିବା ବୈଷୟିକ ତ୍ରୁଟିକୁ ସୁଧାରିଛି। ବାସ୍ତବରେ ଭାରତ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ଏଯାଏ ପହଞ୍ଚିନି। ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆ ପୂର୍ବଭଳି ୧ନଂ ସ୍ଥାନ ବଜାୟ ରଖିଛି । କେବଳ ଦିନିକିଆ ଓ ଟି-୨୦ରେ ଭାରତ ୧ନଂ ସ୍ଥାନ ଦଖଲ କରିଛି।

ଆଇସିସି ପକ୍ଷରୁ ତ୍ରୁଟି ସୁଧାରି କୁହାଯାଇଛି ଯେ ଅଷ୍ଟ୍ରେଲିଆ ୨୯ଟି ମ୍ୟାଚ୍‌ରୁ ୧୨୬ ପଏଣ୍ଟ ସହ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛି। ଭାରତ ୩୨ ମ୍ୟାଚ୍‌ରୁ ୧୧୫ ପଏଣ୍ଟ ସହ ୨ନଂରେ ଅଛି। ସେହିପରି ଇଂଲଣ୍ଡ ୧୦୭ ପଏଣ୍ଟ ସହ ତୃତୀୟ ଓ ଦକ୍ଷିଣ ଆଫ୍ରିକା ୧୦୨ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି।

Subscribe

National International State Sports Entertainment