ଓଡ଼ିଆ ଭାଷାର ପ୍ରଥମ ଔପନ୍ୟାସିକା ତଥା ପ୍ରଥମ ମହିଳା ଡାକ୍ତରାଣୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ଜୟନ୍ତୀ
Khabar Odisha:special-odisha-birth-anniversary-of-kuntala-kumari-sabata
ଭୁବନେଶ୍ଵର, ଫେବୃଆରୀ ୦୮ (ଖବର ଓଡ଼ିଶା) :

ଜଣେ କବୟିତ୍ରୀ ଭାବେ ସର୍ବତ୍ର ସୁପରିଚିତା କୁନ୍ତଳା କୁମାରୀ ସାବତ ତଥା ଓଡ଼ିଆ ଭାଷାର ପ୍ରଥମ ଔପନ୍ୟାସିକାର କୁନ୍ତଳା କୁମାରୀ ସାବତଙ୍କ ଆଜି ଜନ୍ମ ଜୟନ୍ତୀ। ସେ ୧୯୦୧ ମସିହା ଫେବୃଆରୀ ୮ ତାରିଖରେ ଜଗଦଲପୁରଠାରେ ଜନ୍ମଗ୍ରହଣ କରିଥିଲେ । ବର୍ମାର ଅଣଓଡ଼ିଆ ପରିବେଶରେ ତାଙ୍କର ଶୈଶବ ଓ କୈଶୋର ଅବସ୍ଥା କଟିଥିଲା। ତେଣୁ ସେ ଆରମ୍ଭରୁ ହିନ୍ଦୀ ଭାଷା ସହିତ ପରିଚିତ ହେଲେ । ତେବେ ଘରୋଇ ଉଦ୍ୟମରେ ‘ମଧୁ ବର୍ଣ୍ଣବୋଧ’, ‘ଶିଶୁପାଠ’, ‘ସାହିତ୍ୟ କୁସୁମ’, ‘ସାହିତ୍ୟ ତରଙ୍ଗ’ ଆଦିର ସହାୟତାରେ ସେ ଓଡ଼ିଆ ଶିଖିଲେ । ପରେ ଓଡ଼ିଶା ଫେରି କଟକର ରେଭେନ୍ସା ଗାର୍ଲସ୍‍ ହାଇସ୍କୁଲରେ ପାଠ ପଢ଼ିଲେ । ନବମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବାପରେ ଗାର୍ଲସ୍‍ ସ୍କୁଲ୍‍ ଛାଡ଼ି ମେଡିକାଲ୍‍ ସ୍କୁଲରେ ନାମ ଲେଖାଇଲେ ।

୧୯୨୧ରେ କୁନ୍ତଳାକୁମାରୀ ବିହାର ଓ ଓଡ଼ିଶାର ମେଡିକାଲ ବୋର୍ଡ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ପ୍ରଥମ ହୋଇଥିଲେ । ଏଥିପାଇଁ ସେ ୧୬ଟି ରୌପ୍ୟ ଓ ସ୍ୱର୍ଣ୍ଣପଦକ ପାଇଥିଲେ । ସେ ସରକାରୀ ଚାକିରିରେ ଯୋଗ ନଦେଇ ସ୍ୱାଧୀନ ଭାବେ ଚିକିତ୍ସା କରିବାକୁ ସ୍ଥିରକଲେ । ତାଙ୍କର ଗୁରୁ କୈଳାସଚନ୍ଦ୍ରଙ୍କ ପ୍ରତି ସେ ଅନୁରାଗୀ ଥିଲେ ଓ ତାଙ୍କୁ ନେଇ କବିତା ଲେଖିବା ଆରମ୍ଭ କରିଥିଲେ । କ୍ରମେ କୈଳାସଙ୍କ ସହାୟତାରେ ତାଙ୍କର ‘ତାରା ପ୍ରତି’ ଶୀର୍ଷକ ଏକ କବିତା ‘ଉତ୍କଳ ସାହିତ୍ୟ’ରେ ପ୍ରକାଶ ପାଇଲା । ପରେପରେ ‘ଶେଫାଳି ପ୍ରତି’, ‘କମଳ ପ୍ରତି’ ଆଦି ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହେଲା । 

ଦିଲ୍ଲୀରେ ସେ ଚିକିତ୍ସା କ୍ଷେତ୍ରରେ ଖୁବ୍‍ ନାମ କମାଇବା ସହ ସାହିତ୍ୟ ରଚନାରେ ବ୍ରତୀ ହେଲେ । ତାଙ୍କ କବିତାର ପ୍ରଶଂସା କରି ପୁରୀର ମହିଳାବନ୍ଧୁ ସମିତି ତାଙ୍କୁ ‘ଉତ୍କଳ ଭାରତୀ’ ଉପାଧି ଦେଇଥିଲେ । ସ୍ୱଳ୍ପ ଜୀବନକାଳ ମଧ୍ୟରେ ସେ ଅନେକ କାବ୍ୟ କବିତା ରଚନା କରି ଯଶସ୍ୱୀ ହୋଇଥିଲେ । କେବଳ କବିତା ନୁହେଁ, ଭ୍ରାନ୍ତି, ନଅତୁଣ୍ଡୀ, କାଳୀ ବୋହୂ, ପରଶମଣି, ରଘୁ ଅରକ୍ଷିତ ଆଦି ଅନେକ ସଫଳ ଉପନ୍ୟାସର ମଧ୍ୟ ଥିଲେ ସ୍ରଷ୍ଟା । 

ଓଡ଼ିଶାର ସ୍ଵାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ମଧ୍ୟରୁ କୁନ୍ତଳା କୁମାରୀ ସାବତ ଅନ୍ୟତମ। ଘୃଣ୍ୟ ଜାତିପ୍ରଥା ବିରୁଧରେ ସେ ସ୍ଵର ଉତ୍ତୋଳନ କରିଥିଲେ। ପରଦା ପ୍ରଥା, ବାଲ୍ୟ ବିବାହ, ଓ ମହିଳା ପ୍ରଭେଦ ବିରୁଧରେ ସେ ଲେଖିଥିଲେ। ସେ ଜଣେ ସମାଜସେବିକା ରୂପରେ ବିଧବା ବିବାହ ଓ ନାରୀ ସଶକ୍ତିକରଣ ପାଇଁ କାମ କରିଥିଲେ। ୨୩ ଅଗଷ୍ଟ ୧୯୩୭ରେ ଏକ ପୁତ୍ରସନ୍ତାନ ଜନ୍ମଦେବା ପରେ ସେ ଚିରଦିନ ପାଇଁ ଆଖି ବୁଜିଥିଲେ ।

Subscribe

National International State Sports Entertainment