ଶିକ୍ଷା ହେଉଛି ପ୍ରତ୍ୟେକ ମନୁଷ୍ୟର ମୌଳିକ ଅଧିକାର। ଶିକ୍ଷା ମଣିଷକୁ ସଶକ୍ତ କରିବା ସହିତ ପରିବେଶ, ଜୀବିକାଜୀବନ ଓ ସମାଜ ସମ୍ପର୍କରେ ସଜାଗ କରାଇବାରେ ସହାୟକ ହୋଇଥାଏ। ଏଥିସହିତ ସଫଳତାର ମାର୍ଗରେ ଆଗେଇ ନେବା ଲାଗି ଜ୍ଞାନ ଅର୍ଜନ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ। ଜଣେ ଶିକ୍ଷିତ ଓ ସଚେତନ ମଣିଷ ହେଉଛି ଦେଶର ଜଣେ ଆଦର୍ଶ ନାଗରିକ। ଏପରିକି ସେହି ମଣିଷ ହିଁ ଦେଶ ଓ ବିଶ୍ୱ ପାଇଁ ଏକ ଉନ୍ନତ ଭବିଷ୍ୟତ ଚିନ୍ତା କରିଥାଏ।
ଦେଶର ଶିକ୍ଷା କ୍ଷେତ୍ରକୁ ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କର ଅବଦାନ ସର୍ବଦା ସ୍ମରଣୀୟ। ବିଶେଷ କରି ତାଙ୍କର ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଦେଶରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଓ ଭାରତୀୟ ବୈଷୟିକ ପ୍ରତିଷ୍ଠାନ ପରି ଆଧୁନିକ ଶିକ୍ଷା ସଂସ୍ଥା ସ୍ଥାପିତ ହୋଇପାରିଥିଲା। ୧୯୪୭ରୁ ୧୯୫୮ ଯାଏ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଶିକ୍ଷାକୁ ଉନ୍ନତ ଓ ସୁଲଭ କରାଇବାରେ ତାଙ୍କର ପଦକ୍ଷେପଗୁଡ଼ିକ ଖୁବ୍ ପ୍ରଶଂସନୀୟ ଓ ସମ୍ମାନାସ୍ପଦ।
ତେବେ ଶିକ୍ଷା ଆମ ଜୀବନରେ କେତେ ଗୁରୁତ୍ୱ ବହନ କରେ ତାକୁ ହୃଦୟଙ୍ଗମ କରି ୨୦୦୮ ମସିହା ନଭେମ୍ବର ୧୧ ତାରିଖକୁ ଜାତୀୟ ଶିକ୍ଷା ଦିବସ ରୂପେ ପାଳନ କରିବା ନେଇ ନିଷ୍ପତି ନିଆଯାଇଥିଲା। ସେହି ଦିନ ଠାରୁ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ଶିକ୍ଷା ଦିବସ ରୂପେ ପାଳନ କରାଯାଉଛି ଏପରିକି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଥାଏ। ଯେଉଁଥିରେ ଶିକ୍ଷା ଆମ ପାଇଁ କେତେ ଗୁରୁତ୍ୱପୂର୍ଣ ସେ ବିଷୟରେ ବାର୍ତ୍ତା ଦିଆଯାଇଥାଏ।
ଅଧିକ ପଢନ୍ତୁ : ନୂଆପଡା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ; ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ସାଧାରଣ ଜନତା