ଗଜପତି; ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ରହିଛି ଭିନ୍ନ ପରମ୍ପରାର ଏକ ଦୁର୍ଗା ମନ୍ଦିର। ମନ୍ଦିରଟି ବର୍ଷକୁ ମାତ୍ର ୧୦ଦିନ ପାଇଁ ଖୋଲା ହୁଏ ଓ ପୂଜାନୀତି ଚାଲେ। ପୁରାତନ ଏହି ମନ୍ଦିରଟି ପାରଳା ରାଜ ପରିବାର ତରଫରୁ ନିର୍ମିତ। ମା’ ଦୁର୍ଗା ଏଠାରେ ମା’ ଦାଣ୍ଡୁମାରାମ୍ମା ନାମରେ ପୂଜା ପାଇ ଆସୁଛନ୍ତି। ବର୍ଷକୁ ଥରେ କେବଳ ନବରାତ୍ର ୯ ଦିନ ମା’ଙ୍କ ପୂଜାର୍ଚ୍ଚନା ପରେ ବିଜୟା ଦଶମୀ ବିଳମ୍ବିତ ରାତିରେ ମନ୍ଦିରକୁ ବନ୍ଦ କରି ଦିଆଯାଏ। ରାଜାଙ୍କ ସମୟରେ ମହାଷ୍ଟମୀ ରାତିରେ ମା’ଙ୍କ ନିକଟରେ ବଳି ଦେବା ପ୍ରଥା ରହିଥିଲା। କାଳକ୍ରମେ ଏହି ପ୍ରଥା ବନ୍ଦ ହୋଇଯାଇଛି। ଏବେ ମନ୍ଦିର ନିକଟରେ ଥିବା ଦଣ୍ଡୁମାଲାସାହି ବାସିନ୍ଦାଙ୍କ ଦ୍ବାରା ମନ୍ଦିର ବର୍ତ୍ତମାନ ପରିଚାଳନା କରାଯାଉଛି। ପାରଳା ସହରବାସୀଙ୍କ ଆର୍ଥିକ ସହାୟତାରେ ବର୍ତ୍ତମାନ ଜାକଜମକରେ ମା’ଙ୍କ ନବରାତ୍ର ପାଳନ ଚାଲିଛି। ଦାଣ୍ଡୁମାଲାସାହି ବାସିନ୍ଦା ମା’ଙ୍କୁ ଏହି ୯ ଦିନ ନିଜ ଘରେ ଖିରି, ଖେଚେଡି ଆଦି ପ୍ରସ୍ତୁତ କରି ଆଣି ଭୋଗ ଲଗାଇଥାନ୍ତି।
ବିଶ୍ୱାସ ରହିଛି, ମା’ ଦାଣ୍ଡୁମାରାମ୍ମାଙ୍କୁ ଦର୍ଶନ କଲେ ସର୍ବମଙ୍ଗଳ ପ୍ରାପ୍ତି ହେବା ସହ ଦୂରାରୋଗ୍ୟ ଓ ସମସ୍ତ କ୍ଲେଶ ଦୂର ହୁଏ। ଯାହା ମାନସିକ କଲେ ପୂର୍ଣ୍ଣ ହୁଏ। ମା’ଙ୍କ ପ୍ରତିମୂର୍ତ୍ତି ପଛରେ ଏକ ସାପବିଳା ରହିଛି। ଏଥିରେ ବହୁ କାଳରୁ ଏକମାତ୍ର ନାଗସାପ ରହିଥିବା ବିଶ୍ୱାସ ରହିଛି। ଗତ ଅଷ୍ଟମୀ ପୂଜା ଉପଲକ୍ଷେ ମନ୍ଦିର ଜନଗହଳି ଥିବା ସମୟରେ ମା’ଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ପାଇଁ ସହରର ଚାରିପଟୁ ଭକ୍ତଙ୍କ ଗହଳି ହୋଇଥିଲା। ନବରାତ୍ର ସରିଲେ ମନ୍ଦିର ବନ୍ଦ ହେବା ପରେ ଏହି ନାଗସାପଟି ମା’ଙ୍କ ଠାରେ ଜଗି ରହି ଆସୁଥିବା ବିଶ୍ୱାସ ରହିଛି। ଏଭଳି ଅନେକ କିମ୍ବଦନ୍ତୀ ଥିବା ଏହି ମନ୍ଦିରକୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନବରାତ୍ରରେ ବହୁ ଭକ୍ତ ଆସି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି।