ଖବର ଓଡିଶା : 17/01/2023:
ବିଧବା ଭାଉଜ ମଥାରେ ସିନ୍ଦୁର ଦେଲା ଦିଅର | କେନ୍ଦ୍ରାପଡା କୁମ୍ଭାର ଟଙ୍କାରେ ବେସାହାରା ଭାଉଜକୁ ବିବାହ କରିଛନ୍ତି ଦିଅର ଅନୀଲ ସେଠୀ । 6 ବର୍ଷ ତଳେ ଆଳି ବ୍ଲକ୍ କୁମ୍ଭାରଟଙ୍କା ଗାଁର ପୁରୁଷୋତ୍ତମ ସେଠୀଙ୍କ ବଡ଼ପୁଅ ସୁନୀଲ ସେଠୀଙ୍କୁ ସେହି ଗାଁର କାଜଲ ସେଠୀ ପ୍ରେମ ବିବାହ କରିଥିଲେ। ବିବାହ ପରେ ସୁନୀଲ ନିଜ କାମରେ ବ୍ୟସ୍ତ ହୋଇଗଲେ ଓ କାଜଲ ଶାଶୂ, ଶ୍ୱଶୁର ଏବଂ ଘର କାମରେ ନିଜକୁ ନିୟୋଜିତ କରୁଥିଲେ। ବେଶ୍ ହସ ଖୁସିରେ ଚାଲିଥିଲା ସଂସାର ରଥ। ପରେ 3 ଛୁଆଙ୍କ ମାଆ ହେଲେ କାଜଲ। ତିନି ପିଲା, ସ୍ୱାମୀ, ଶାଶୂ ଓ ଶ୍ୱଶୁରକୁ ନେଇ ବେଶ ସୁଖର ସଂସାର ଗଢ଼ୁଥିବା କାଜଲଙ୍କ ଭାଗ୍ୟରେ ହଠାତ ମାଡି ବସିଲା ଦୁଃଖର ପାହାଡ | ଦେଢ ବର୍ଷ ତଳେ କ୍ୟାନସରରେ ଆକ୍ରାନ୍ତ ହୋଇ ଅନୀଲଙ୍କ ବଡ ଭାଇ ସୁନୀଲ ପ୍ରାଣ ହରାଇଥିଲେ । ଏହା ପରେ ତିନି ଛୁଆଙ୍କୁ ନେଇ ବେସାହାରା ହୋଇଯାଇଥିଲେ କାଜଲ | ତାଙ୍କର ଏ ଦୁଃଖ ସହ୍ୟ କରିପାରିଲେନି କାଜଲଙ୍କ ଶାଶୂ ଓ ଶ୍ୱଶୁର। ଆବୁଧାବିରେ ଚାକିରି କରୁଥିବା ତାଙ୍କ ସାନ ପୁଅ ଅନିଲ ସେଠୀକୁ ଡାକିଥିଲେ | ଘରେ ପହଞ୍ଚିବା ପରେ କାଜଲଙ୍କ ସହିତ ବିବାହ ପାଇଁ ଅନୀଲଙ୍କୁ ପ୍ରସ୍ତାବ ଦେଇଥିଲେ ବାପା ପୁରୁଷୋତ୍ତମ ଓ ମାଆ। ପ୍ରଥମେ ରାଜି ହୋଇନଥିଲେ କାଜଲ | କିନ୍ତୁ ପରେ ସମୟସହ ନିଜକୁ ସାଲିସ କରି ବିବାହ ପାଇଁ ହଁ ମାରିଥିଲେ। ଏହା ପରେ ଅନୀଲ ମଧ୍ୟ ବାପା ମାଆଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଉଭୟ କାଜଲ ଓ ଅନୀଲ୍ ପରିବାର ଲୋକଙ୍କ ସହମତିରେ ଆଜି ଜଗନ୍ନାଥ ମନ୍ଦିରରେ ବିବାହ କରିଛନ୍ତି । କାଜଲଙ୍କ ସିନ୍ଥିରେ ସିନ୍ଦୂର ଦେଇଛନ୍ତି ଅନୀଲ୍। ପରିବାର ଓ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ କାଲଜଙ୍କୁ ପତ୍ନୀ ଭାବେ ଗ୍ରହଣ କରିଛନ୍ତି ସେ । ସମାଜରେ ପ୍ରଚଳିତ ସବୁ ପ୍ରାଚୀନ ପ୍ରଥା ଓ ପରମ୍ପରା କେବଳ ଅନ୍ଧବିଶ୍ୱାସ ନୁହେଁ । କିଛି ପରମ୍ପରା ସମାଜ ଓ ବ୍ୟକ୍ତିର ହିତ ବି ସାଧନ କରିଥାଏ । କାହିଁ କେଉଁ କାଳରୁ ଏମିତି ଏକ ପ୍ରଥା ଆମ ସମାଜରେ ବିଶେଷକରି ଗ୍ରାମାଞ୍ଚଳରେ ଚଳି ଆସିଛି ଯେ ଯଦି ଯୁବାବସ୍ଥାରେ କୌଣସି ବିବାହିତ ପୁରୁଷଙ୍କର ମୃତ୍ୟୁ ହେଉଛି ତାହେଲେ ତାଙ୍କ ସାନ ଭାଇ ବା ଦିଅର ପରିବାରର ସମ୍ମତିକ୍ରମେ ଭାଉଜଙ୍କୁ ବିବାହ କରିଥାନ୍ତି ।ସେହିପରି କୌଣସି ମହିଳାଙ୍କ ମୃତ୍ୟୁ ହେଲେ ତାଙ୍କ ସ୍ୱାମୀ ମୃତକଙ୍କ ସାନ ଭଉଣୀଙ୍କୁ ବି ଦ୍ୱିତୀୟ ବିବାହ କରିବାର ଅନେକ ଖବର ରହିଛି ।