ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ସମର୍ଥିତ ପ୍ରାର୍ଥୀ ସିପି ରାଧାକୃଷ୍ଣନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସଂସଦରେ ରାଧାକୃଷ୍ଣନ ବୁଧବାର ନାମାଙ୍କନ ଭରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ପ୍ରସ୍ତାବକ ରହିଛନ୍ତି । ଏହା ସହିତ ବିଜେପିର ଅନେକ ବରିଷ୍ଠ ନେତୃବୃନ୍ଦ ଯଥା କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ନୀତୀନ ଗଡ଼କରୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ପ୍ରମୁଖ ଉପସ୍ଥିତ ଥିଲେ ।
୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁର ତିରୁପ୍ପୁରରେ ରାଧାକୃଷ୍ଣନ ଜନ୍ମ ଗ୍ରହଣ କରିଛନ୍ତି । ସେ ବର୍ତ୍ତମାନ ମହାରାଷ୍ଟ୍ରର ବର୍ତ୍ତମାନ ରାଜ୍ୟପାଳ ଅଛନ୍ତି । ଏହା ପୂର୍ବରୁ ସେ ଝାଡ଼ଖଣ୍ଡ, ପୁଡୁଚେରୀ, ତେଲେଙ୍ଗାନା ପରି ରାଜ୍ୟର ରାଜ୍ୟପାଳ ଥିଲେ । ସେ ବିଜେପିର ଜଣେ ବରିଷ୍ଠ ନେତା ଏବଂ ନିଜର ରାଜନୈତିକ ଜୀବନ ଆରଏସଏସ ଏବଂ ଜନସଂଘରୁ ଆରମ୍ଭ କରିଥିଲେ। ସେ ୧୯୯୮ ଏବଂ ୧୯୯୯ରେ କୋଏମ୍ବାଟୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ତାମିଲନାଡ଼ୁ ରାଜ୍ୟ ବିଜେପି ସଭାପତି ପଦରେ କାର୍ଯ୍ୟ କରିଥିଲେ ।
ତେବେ ଚଳିତ ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ଶାସକ ଓ ବିରୋଧୀ ଦଳ ଦକ୍ଷିଣ ଭାରତ ଉପରେ ଫୋକସ୍ କରିଛନ୍ତି । ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟ ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ କରିଛି । ତେବେ ସୁଦର୍ଶନ ରେଡ୍ଡୀ ନାମାଙ୍କନ ଭରି ନାହାଁନ୍ତି ।
ଉପରାଷ୍ଟ୍ରପତି ନିର୍ବାଚନ କେବେ ହେବ ?
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ସେପ୍ଟେମ୍ବର ୯ରେ ଅନୁଷ୍ଠିତ ହେବ ଏବଂ ଭୋଟ୍ ଗଣତି ମଧ୍ୟ ସେହି ଦିନ ହେବ। ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୨୧ ଥିବା ବେଳେ ପ୍ରାର୍ଥୀମାନେ ଅଗଷ୍ଟ ୨୫ ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିପାରିବେ।
କ'ଣ ରହିଛି ଗଣିତ ?
ସଂସଦରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଏନଡିଏ ମେଣ୍ଟ ସର୍ବାଧିକ ରହିଛି । ତଥାପି ସଂଖ୍ୟା ଦେଖିଲେ ଲୋକସଭାରେ ମୋଟ ସଦସ୍ୟ ସଂଖ୍ୟା ୫୪୨ ଥିଲେ ଏନଡିଏର ୨୯୩ଟି ଥିବାବେଳେ ୨୪୯ ବିରୋଧୀଙ୍କ ପାଖରେ ରହିଛି । ସେହିପରି ରାଜ୍ୟସଭାରେ ଏନଡିଏ ସମର୍ଥିତ ସଦସ୍ୟଙ୍କ ସଂଖ୍ୟା ୨୪୦ ମଧ୍ୟରୁ ୧୩୦ଟି ରହିଛି । ତେଣୁ ରାଧାକୃଷ୍ଣନଙ୍କ ଜିତିବା ପ୍ରାୟତଃ ନିଶ୍ଚିତ ଅଟେ ।
ସୂଚନାଯୋଗ୍ୟ, ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧ରେ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ପଦବୀ ଖାଲି ପଡ଼ିଥିଲା। ଧନଖଡ଼ଙ୍କ ଇସ୍ତଫା ପତ୍ରରେ ଦେଇ କହିଥିଲେ ଯେ, "ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବା ଏବଂ ଡାକ୍ତରୀ ପରାମର୍ଶ ପାଇଁ ମୁଁ ସମ୍ବିଧାନର ଧାରା ୬୭ (ଏ) ଅନୁଯାୟୀ ତତ୍କାଳ ପ୍ରଭାବରୁ ଭାରତର ଉପରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେଉଛି।