ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଇଣ୍ଡିଆ ମେଣ୍ଟ ନିଜର ପ୍ରାର୍ଥୀ ଘୋଷଣା କରିଛି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀଙ୍କୁ ମଇଦାନକୁ ଓହ୍ଲାଇଛି ଇଣ୍ଡିଆ ମେଣ୍ଟ । ମଙ୍ଗଳବାର ଏହାର ଘୋଷଣା କରିଛି ବିରୋଧୀ ମେଣ୍ଟ । ଏନଡିଏ ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରିଛି । ଉପରାଷ୍ଟ୍ରପତି ନିର୍ବାଚନ ସେପ୍ଟେମ୍ବର ୯ରେ ହେବ ।
ବିରୋଧୀ ପ୍ରଥମରୁ ସ୍ପଷ୍ଟ କରି ଦେଇଥିଲେ ଯେ, ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏର ପ୍ରାର୍ଥୀ ବିରୋଧରେ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ଦେବ । ଇଣ୍ଡିଆ ମେଣ୍ଟ ମିଳିତ ପ୍ରାର୍ଥୀ ଦେବ ବୋଲି ଯୋଜନା କରିଥିଲା । ଏହି ସମ୍ବନ୍ଧରେ ସୋମବାର ସନ୍ଧ୍ୟାରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଗଡେଙ୍କ ବାସଭବନରେ ବୈଠକ ବସିଥିଲା । ମାତ୍ର ନାଁ ଆଜି ଘୋଷଣା କରାଯାଇଛି ।
କିଏ ଏହି ଜଷ୍ଟିସ ସୁଦର୍ଶନ ରେଡ୍ଡୀ
୧୯୪୬ ମସିହା ଜୁଲାଇ ୮ରେ ଜନ୍ମ ଗ୍ରହଣ କରିଥିବା ରେଡ୍ଡୀ ୧୯୭୧ରେ ନ୍ୟାୟପାଳିକା କ୍ଷେତ୍ରରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ତେବେ ସେ ଆନ୍ଧ୍ର ପ୍ରଦେଶ ବାର କାଉନସିଲରେ ଓକିଲ ଭାବେ ସାମିଲ ହୋଇଥିଲେ । ୧୯୯୦ରେ ପାଖାପାଖି ୬ ମାସ ପାଇଁ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସ୍ଥାୟୀ ଓକିଲ ଭାବେ କାମ କରିଥିଲେ । ଏହା ସହ ସେ ଉସମାନିଆ ୟୁନିଭର୍ସିଟିର ସ୍ଥାୟୀ ଓକିଲ ଏବଂ ଆଇନଗତ ପରାମର୍ଶଦାତା ଭାବେ ମଧ୍ୟ କାମ କରିଛନ୍ତି ।
୧୯୯୫ରେ ତାଙ୍କୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ସ୍ଥାୟୀ ଜଜ ଭାବେ ନିଯୁକ୍ତ କରାଯାଇଥିଲା । ୨୦୦୫ ଡିସେମ୍ବରରେ ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ୨୦୦୭ ଜାନୁଆରୀ ୧୨ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ୨୦୧୧ ଜୁଲାଇ ୮ରେ ଅବସର ନେଇଥିଲେ ।