ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଉପରାଷ୍ଟ୍ରପତି ନିର୍ବାଚନରେ ସିପି ରାଧାକୃଷ୍ଣନଙ୍କୁ ସମର୍ଥନ କରିବାକୁ ଅପିଲ୍ କରିଛନ୍ତି । ଯଦ୍ୱାରା ନୂଆ ରାଜ୍ୟସଭା ଅଧ୍ୟକ୍ଷଙ୍କ ନିର୍ବାଚନ ମହାସମିତି ମାଧ୍ୟମରେ ହୋଇ ପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜନାଥ ସିଂ ଏହି ସମ୍ବନ୍ଧରେ ସମସ୍ତ ଦଳର ନେତାଙ୍କ ଆଲୋଚନା କରୁଛନ୍ତି । ନୂଆଦିଲ୍ଲୀରେ ଏନଡିଏ ସଂସଦୀୟ ଦଳର ବୈଠକରେ ଆଜି ସେ ମହାରାଷ୍ଟ୍ରର ରାଜ୍ୟପାଳ ତଥା ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ସମ୍ମାନିତ କରିଛନ୍ତି । ଏହି ସମୟରେ ପିଏମ ମୋଦୀ ଏନଡିଏ ସାଂସଦଙ୍କୁ ରାଧାକୃଷ୍ଣନଙ୍କ ସହ ପରିଚୟ ମଧ୍ୟ କରାଇଛନ୍ତି ।
ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସିପି ରାଧାକୃଷ୍ଣନ ଉପରାଷ୍ଟ୍ରପତି ପଦ ପାଇଁ ଜଣେ ଉତ୍କୃଷ୍ଟ ପସନ୍ଦ । ସେ ବିନା କୌଣସି ବିବାଦରେ ଜୀବନ ଅତିବାହିତ କରିଛନ୍ତି ଏବଂ ବହୁତ ବିନମ୍ର ସ୍ୱଭାବର ମଣିଷ । ଓବିସି ସମାଜରୁ ଆସିଥିବା ରାଧାକୃଷ୍ଣନ ତୃଣମୂଳ ସ୍ତରର ନେତା । ସେ ରାଜନୀତିକୁ ଖେଳ ପରି ଗ୍ରହଣ କରି ନାହାନ୍ତି । ସଂସଦର ଲାଇବ୍ରେରୀ ବିଲ୍ଡିଂରେ ଆଜି ଏନଡିଏ ସାଂସଦଙ୍କ ବୈଠକ ଡକାଯାଇଥିଲା ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଅନେକ କେନ୍ଦ୍ର ମନ୍ତ୍ରୀ ସମେତ ଏନଡିଏର ଶୀର୍ଷ ନେତା ଉପସ୍ଥିତ ଥିଲେ । ରାଧାକୃଷ୍ଣନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜର ନାମାଙ୍କନ ଅଗଷ୍ଟ ୨୦ରେ ଦାଖଲ କରିବେ । ବିଜେପି ନେତୃତ୍ୱାଧୀନ ଏନଡିଏର ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ବହୁମତ ରହିଛି । ତେଣୁ ରାଧାକୃଷ୍ଣନଙ୍କ ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି ।
ଅନ୍ୟପଟେ ବିରୋଧୀ ଇଣ୍ଡିଆ ମେଣ୍ଟ ଉପରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢିବେ ବୋଲି ସ୍ପଷ୍ଟ କରିଛି । ମେଣ୍ଟ ତାମିଲନାଡୁରୁ ଜଣେ ପ୍ରତିଷ୍ଠିତ ଚେହେରାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଏପରିକି ତାମିଲନାଡୁର ନିବାସୀ ହେବା ସହ ଇସ୍ରୋର ବୈଜ୍ଞାନିକଙ୍କୁ ପ୍ରାର୍ଥୀ କରିପାରେ ବୋଲି ଇଣ୍ଡିଆ ମେଣ୍ଟରେ ଚର୍ଚ୍ଚା ଚାଲିଛି । ଉଲ୍ଲେଖନୀୟ ୬୭ ବର୍ଷୀୟ ସିପି ରାଧାକୃଷ୍ଣନ ତାମିଲନାଡୁର ବାସିନ୍ଦା ।