ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ ବିଜେପିକୁ ମିଳିବା ତାର ନୂଆ ସଭାପତି । ସେଥିପାଇଁ ଆଜି ନାମାଙ୍କନ ଦାଖଲ ହେବ । ଦିନ ୧୨ଟା ୩୦ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଇଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ଭରିବେ । ଅପରାହ୍ମ ୪ଟା ୩୦ରେ ଚୂଡ଼ାନ୍ତ ସୂଚୀ ପ୍ରକାଶ ପାଇବ । ଏହାପରେ ନିର୍ବାଚନ ଚିହ୍ନ ବଣ୍ଟନ କରାଯିବ । ଆସନ୍ତାକାଲି ନିର୍ବାଚନ ହୋଇ ଫଳାଫଳ ଘୋଷଣା ହେବ । ଯଦି ସହମତି ଭିତ୍ତିରେ ଦଳ ଜଣଙ୍କ ନାଁ ଘୋଷଣାକରେ ତେବେ ନିର୍ବାଚନ ହେବାର ଆବଶ୍ୟକତା ନାହିଁ । ଯଦି ଏକରୁ ଅଧିକ ପାର୍ଥୀ ନାମାଙ୍କନ ଭରିବେ ତେବେ ନିର୍ବାଚନ ହେବ ।
ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ପାଇଁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ନର୍ବାଚନ ଅଧିକାରୀ ଦାୟିତ୍ୱ ଦେଇଛି ଦଳ । ସେହିପରି କେନ୍ଦ୍ରରୁ ବିହାରର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଭୁବନେଶ୍ୱରରେ ପହଁଚିଛନ୍ତି ।
ତେବେ କିଏ ବିଜେପିର ନୂତନ ମଙ୍ଗୁଆଳ ହେବ ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ମନମୋହନ ସାମଲଙ୍କ ନେତୃତ୍ୱରେ ୨୪ ବର୍ଷର ବିଜେଡ଼ି ସରକାରକୁ ଭାଙ୍ଗି ବିଜେପି ଏକାକୀ ସରକାର ଗଢ଼ିଥିଲା । ତେଣୁ ମନମୋହନ ପୁନର୍ବାର ସଭାପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପକ୍ଷରେ ଗତକାଲି ମତଦାତାଙ୍କ ତାଲିକା ପ୍ରକାଶ ପାଇଛି । ସମସ୍ତ ଆପତ୍ତି ଓ ଅଭିଯୋଗ ଗ୍ରହଣ ପରେ ୨୭୩ଜଣ ମତଦାତାଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ, ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ୧୦ ପ୍ରତିଶତ ପ୍ରତିନିଧି ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି । ସେହିପରି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ନାଁ ମଧ୍ୟରେ ଚର୍ଚ୍ଚାରେ ରହିଛି । ତେବେ ସେ ଆଜି ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ସେ ସ୍ପଷ୍ଟ କରିଛନ୍ତି ଯେ ସେ ନାମାଙ୍କନ ଭରିବେ ନାହିଁ ।
ତେବେ ବରଗଡ଼ ବିଧାୟକ ପ୍ରଦୀପ ପୁରୋହିତ ମଧ୍ୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଯେ ମନମୋହନ ସାମଲ ପୁଣି ସଭାପତି ହେଲେ ଭଲ । କାରଣ ତାଙ୍କ ନେତୃତ୍ୱରେ ବିଜେପି ସରକାର ଗଢ଼ିଛି ।