ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଗରିବଙ୍କ ବଢୁଥିବା ସଂଖ୍ୟାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଧନ କିଛି ବିତ୍ତଶାଳୀ ଲୋକଙ୍କ ହାତରେ କେନ୍ଦ୍ରିତ ହେଉଛି । ନାଗପୁରରେ ଏକ କାର୍ଯ୍ୟକ୍ରମରେ ଗଡକରୀ କହିଛନ୍ତି, ଧନର ବିକେନ୍ଦ୍ରୀକରଣର ଆବଶ୍ୟକତା ରହିଛି । ଏହି କାର୍ଯ୍ୟକ୍ରମରେ ସେ କୃଷି, ବିନିର୍ମାଣ ଓ ଆନୁସଙ୍ଗିକ ଉନ୍ନତିମୂଳକ କାର୍ଯ୍ୟ ସଂପର୍କିତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।
ଗଡକରୀ କହିଛନ୍ତି, ଧିରେ ଧିରେ ଗରିବ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି ଏବଂ ଧନ କିଛି ଧନୀ ଲୋକଙ୍କ ହାତରେ କେନ୍ଦ୍ରିତ ହେବାରେ ଲାଗିଛି । ଏମିତି ହେବା ଆଦୌ ଉଚିତ୍ ନୁହେଁ । ଅର୍ଥବ୍ୟବସ୍ଥାକୁ ଏମିତି ବିକଶିତ କରିବା ଉଚିତ୍ ଯଦ୍ୱାରା ରୋଜଗାର ଉତ୍ପନ ହେବା ସହ ଗ୍ରାମାଞ୍ଚଳର ଉତଥାନ ହେବ । ଆମେ ଏମିତି ଏକ ଆର୍ଥିକ ବିକଳ୍ପ ଉପରେ ବିଚାର କରୁଛୁ ଯଦ୍ୱାରା ରୋଜଗାର ସୃଷ୍ଟି ହେବ ଏବଂ ଅର୍ଥବ୍ୟବସ୍ଥା ବୃଦ୍ଧିକୁ ପ୍ରୋତ୍ସାହନ ମିଳିବ । ତେଣୁ ଧନର ବିକ୍ରେନ୍ଦୀକରଣର ଆବଶ୍ୟକତା ରହିଛି । ଏହି ଦିଗରେ ଅନେକ ପରିବର୍ତ୍ତନ ଆସିଛି ।
ବରିଷ୍ଠ ବିଜେପି ନେତା ଉଦାର ଆର୍ଥିକ ନୀତିକୁ ଆପଣେଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିମାହ ରାଓ ଓ ମନମୋହନ ସିଂଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି । ଆଉ ଅନିୟନ୍ତ୍ରିତ କେନ୍ଦ୍ରୀୟକରଣ ବିରୋଧରେ ମଧ୍ୟ ଚେତାବନୀ ଦେଇଛନ୍ତି । ଆମକୁ ଏହି ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ଭାରତର ଆର୍ଥିକ ସରଞ୍ଚନାର ଉଲ୍ଲେଖ କରି ସେ ସକଳ ଘରୋଇ ଉତ୍ପାଦ(ଜିଡିପି)ର କ୍ଷେତ୍ରୀୟ ଯୋଗଦାନରେ ରହୁଥିବା ଅସନ୍ତୁଳନ ଦିଗ ପ୍ରତି ଇସାରା କରିଥିଲେ ।
ଗଡକରୀ କହିଛନ୍ତି, ବିନିର୍ମାଣ କ୍ଷେତ୍ର ୨୨ରୁ ୨୪ ପ୍ରତିଶତ, ସେବା କ୍ଷେତ୍ର ୫୨ରୁ ୫୪ ପ୍ରତିଶତ ଯୋଗଦାନ ଦେଇଥାଏ । କୃଷି, ଗ୍ରାମାଞ୍ଚଳର ୬୫ ରୁ ୭୦ ପ୍ରତିଶତ ଜନସଂଖ୍ୟାକୁ ସାମିଲ କଲେ ବି ଜିଡିପିରେ କେବଳ ୧୨ ପ୍ରତିଶତ ଯୋଗଦାନ ରହୁଛି । ସେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟର ବଢୁଥିବା ଭୂମିକା ଉପରେ ଆଲୋକପାତ କରିଛନ୍ତି । ଗଡକରୀ କହିଛନ୍ତି, ସିଏ ଅର୍ଥବ୍ୟବସ୍ଥା ବୃଦ୍ଧିର ଇଞ୍ଜିନ ହୋଇପାରେ ।