ଭୁବନେଶ୍ୱର: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ପଦ ପାଇଁ ଚିତ୍ର ସ୍ପଷ୍ଟ ହୋଇସାରିଛି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସୋମବାର ଅପରାହ୍ନ ୩ଟା ୧୫ ମିନିଟରେ ବରିଷ୍ଠ ନେତୃବୃନ୍ଦଙ୍କ ଗହଣରେ ନାମାଙ୍କନ ଭରିଛନ୍ତି ମନମୋହନ ସାମଲ । ରାଜ୍ୟ ଓ କେନ୍ଦ୍ରରୁ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ମନମୋହନ । ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିବାବେଳେ ସମସ୍ତ ବିଧାୟକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ସହମତି ଭିତ୍ତିରେ ସେ ଏକମାତ୍ର ପ୍ରାର୍ଥୀ ରହିଛନ୍ତି । ତେଣୁ ମନମୋହନ ଦ୍ୱିତୀୟ ଥର ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ସମ୍ଭାଳିବେ ନିଶ୍ଚିତ ହୋଇଯାଇଛି ।
ଆଜି ଦିନ ତମାମ ରାଜ୍ୟ ରାଜନୀତି ସରଗରମ ରହିଥିଲା । ସମସ୍ତଙ୍କର ନଜର ରହିଥିଲା କିଏ ରାଜ୍ୟ ବିଜେପିର ମଙ୍ଗୁଆଳ ହେବେ । ଏ ସମସ୍ତ ଚର୍ଚ୍ଚା ଆଲୋଚନା ଜବନିକା ପଡ଼ିଥିଲା । ଦିନ ୧୨ଟା ୩୦ରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଇଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ଭରିବାର ସମୟ ଥିଲା । ତିନି ତମାମର ଗହଳ ଚହଳ ପରେ ଶେଷ ମୁହୂର୍ତ୍ତରେ ନାମାଙ୍କନ ଦାଖଲ କରିଥିଲେ ମନମୋହନ ସାମଲ । ସେ ଦ୍ୱିତୀୟ ଥର ପାଇଁ ଏହି ପଦ ପାଇଁ ଆଶାୟୀ ଅଛନ୍ତି । ଏବେ କେବଳ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି । କାରଣ ଏକମାତ୍ର ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ଆଉ ନିର୍ବାଚନ ହେବ ନାହିଁ । ତେଣୁ ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବେ ।
୨୦୦୪ରେ ଭଦ୍ରକ ଧାମନଗର ଆସନରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ସେ ରାଜସ୍ୱ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଭାବେ ଦାୟିତ୍ୱ ତୁଲାଇଥିଲେ । ସେ ଦୀର୍ଘ ଦିନ ବିଜେପି ସହିତ ଯୋଡ଼ି ହୋଇ ରହିଛନ୍ତି । ୨୦୨୩ ମାର୍ଚ୍ଚ ୨୪ରେ ସମୀର ମହାନ୍ତିଙ୍କ ପରେ ମନମୋହନ ପ୍ରଥମ ଥର ପାଇଁ ସଭାପତି ଦାୟିତ୍ୱ ସମ୍ଭାଳିଥିଲେ । ମନମୋହନଙ୍କ ନେତୃତ୍ୱରେ ୨୪ ବର୍ଷର ବିଜେଡ଼ି ସରକାରକୁ ଭାଙ୍ଗି ବିଜେପି ଏକାକୀ ସରକାର ଗଢ଼ିଥିଲା । ତେଣୁ ମନମୋହନ ସଭାପତି ପଦ ପାଇଁ ପ୍ରବଳ ଦାବିଦାର ଥିଲେ ।
ଅନ୍ୟପକ୍ଷରେ ଔପଚାରିକ ଘୋଷଣା ପୂର୍ବରୁ ରାଜ୍ୟ କାର୍ଯ୍ୟାଳୟରେ ଉତ୍ସବ ଆରମ୍ଭ ହୋଇଯାଇଛି । ତାଙ୍କ ସମର୍ଥକମାନେ ବେଶ ଉତ୍ସାହିତଥିବା ଦେଖିବାକୁ ମିଳିଛି ।
ପୂର୍ବତନ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ସେ ନିଜର କାର୍ଯ୍ୟରେ ନିଜକୁ ଉପହାର ଦେଇଛନ୍ତି । ସମସ୍ତ କର୍ମକର୍ତ୍ତା ଏବଂ ଜନତା ତାଙ୍କୁ ପୁଣି ଥରେ ବାଛିଛନ୍ତି । ସମସ୍ତେ ମନମୋହନଙ୍କ ନାମକୁ ସାଦରରେ ଗ୍ରହଣ କରିଛନ୍ତି । ସେଥିପାଇଁ ଆଉ କେହି ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକାଶ କଲେ ନାହିଁ ।