ଭୁବନେଶ୍ୱର ବିଜେପି କାର୍ଯ୍ୟାଳୟଠାରେ ରିପୋର୍ଟ କାର୍ଡ ଜାରି କରିଛନ୍ତି ପୁରୀ ଲୋକସଭାର ସାଂସଦ ପ୍ରାର୍ଥୀ ଡକ୍ଟର ସମ୍ବିତ ପାତ୍ର । ତେବେ ନିର୍ବାଚନରେ ହାରିଥିବା ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ଏପରି ରିପୋର୍ଟ କାର୍ଡ ଜାରି କରିବାରେ ପ୍ରଥମ ହେଉଛନ୍ତି ସମ୍ବିତ ପାତ୍ର । “ପୁରୀ ଲୋକସଭାବାସୀଙ୍କ ସେବାରେ ଡକ୍ଟର ସମ୍ବିତ ପାତ୍ରଙ୍କ ୫ ବର୍ଷ” ଶୀର୍ଷକରେ ପ୍ରସ୍ତୁତ ଏହି ରିପୋର୍ଟ କାର୍ଡରେ ଡକ୍ଟର ସମ୍ବିତ ପାତ୍ର ତାଙ୍କର ୫ ବର୍ଷର ସେବା କାମ ବିଷୟରେ ଉଲ୍ଲେଖ କରିଛନ୍ତି ।
ଏହା ଉପରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଡୋରି ଲାଗିଲେ ହିଁ ଭକ୍ତମାନେ ପୁରୀ ଜଗନ୍ନାଥ ଧାମରେ ପାଦ ଦିଅନ୍ତି । ୨୦୧୯ରେ ମୋର ଡୋରି ଲାଗିଥିଲା, ପୁରୀ ଆସି ମହାପ୍ରଭୁଙ୍କ ପ୍ରିୟ ପୁରୀକ୍ଷେତ୍ର ଲୋକଙ୍କ ସେବା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଉପରେ ରଖିଥିବା ବିଶ୍ୱାସ ବଳ ଦେଇଥିଲା । କିନ୍ତୁ ୨୦୧୯ ନିର୍ବାଚନରେ ମହାପ୍ରଭୁ ଜଗନ୍ନାଥ ତାଙ୍କଠାରୁ ପରୀକ୍ଷା ନେଇଥିଲେ । ତେଣୁ ତାଙ୍କୁ ନିର୍ବାଚନରେ ପରାଜୟ ବରଣ କରିବାକୁ ପଡ଼ିଥିଲା । କିନ୍ତୁ ପରାଜୟ ପରେ ମଧ୍ୟ ସେ ନିଜ ଦାୟିତ୍ୱ ନିର୍ବାହରେ କେବେ ପଛଘୁଞ୍ଚା ଦେଇନାହାନ୍ତି । ବିନା କୌଣସି ପଦ ପଦବୀରେ ସେ ଲୋକସଭା କ୍ଷେତ୍ରର ଲୋକଙ୍କ ସେବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି । ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ର ପିପିଲି, ସତ୍ୟବାଦୀ, ପୁରୀ, ବ୍ରହ୍ମଗିରି, ଚିଲିକା, ରଣପୁର ଓ ନୟାଗଡ଼ରେ ତାଙ୍କ ମାଧ୍ୟମରେ ହେଇଥିବା ଜନକଲ୍ୟାଣକାରୀ କାର୍ଯ୍ୟ ବିଷୟରେ ରିପୋର୍ଟ କାର୍ଡ ଜରିଆରେ ସୂଚନା ଦେଇଛନ୍ତି ।
ଅଧିକ ପଢ଼ନ୍ତୁ : ସ୍ୱର୍ଗଦ୍ୱାରରେ ହେବ ଅନ୍ତିମ ସଂସ୍କାର