ତିରୁଅନନ୍ତପୁରମ୍: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କେରଳ ବିଜେପିର ହୋଇଛନ୍ତି ନୂତନ ରାଜ୍ୟ ସଭାପତି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ପ୍ରହ୍ଲାଦ ଜୋଶୀ ବିଜେପିର ରାଜ୍ୟ ପରିଷଦ ବୈଠକରେ ଏହି ଘୋଷଣା କରିଛନ୍ତି ।
କେରଳ ବିଜେପି ନେତୃବୃନ୍ଦଙ୍କ ସର୍ବସମ୍ମତି କ୍ରମେ ରାଜୀବ ଚନ୍ଦ୍ରଶେଖର ଅଧ୍ୟକ୍ଷଭାବେ ଚୟନ କରାଯାଇଛି । ସେ ତାଙ୍କର ନୂତନ ଭୂମିକାରେ ଚମକିବେ ବୋଲି ପୂର୍ବ ଅଧ୍ୟକ୍ଷ ମତ ପ୍ରକାଶ କରିଛନ୍ତି । ୬୦ ବର୍ଷୀୟ ରାଜୀବ ଚନ୍ଦ୍ରଶେଖରଙ୍କ ନିକଟରେ ଦୁଇ ଦଶନ୍ଧିର ରାଜନୈତିକ ଅଭିଜ୍ଞତା ଅଛି । ସେ ଇଲେକ୍ଟ୍ରୋନିକ୍ସ, ଆଇଟି, ଦକ୍ଷତା ବିକାଶ, ଉଦ୍ୟୋଗୀତା, ଜଳ ଶକ୍ତି ଭଳି ବିଭାଗରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ସେ ତିନିଥର ରାଜ୍ୟସଭା ସାଂସଦ ହୋଇଥିବାବେଳେ ରାଷ୍ଟ୍ରୀୟ ମୁଖପାତ୍ରର ଦାୟିତ୍ୱ ମଧ୍ୟ ନିର୍ବାହ କରିଛନ୍ତି । କେବଳ ସେତିକି ନୁହେଁ ସେ ଏନଡିଏର କେରଳ ୟୁନିଟର ଉପାଧ୍ୟକ୍ଷ ଅଟନ୍ତି ।
୨୦୨୪ ମସିହାରେ, ରାଜୀବ ଚନ୍ଦ୍ରଶେଖର କେରଳର ତିରୁବନନ୍ତପୁରମ ଲୋକସଭା ଆସନରୁ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ତାଙ୍କୁ ୧୬,୦୭୭ ଭୋଟରେ ପରାଜୟର ସାମ୍ନା କରିବାକୁ ପଡିଲା। ରାଜୀବ ଚନ୍ଦ୍ରଶେଖରଙ୍କ ଜନ୍ମ ଗୁଜରାଟର ଅହମଦାବାଦରେ ହୋଇଥିଲା । ତାଙ୍କ ପିତାମାତା କେରଳରୁ ଆସିଛନ୍ତି। ଚନ୍ଦ୍ରଶେଖରଙ୍କ ପରିବାରର ମୂଳ ତ୍ରିସୁରରୁ। ବିପିଏଲ୍ ଗ୍ରୁପ୍ର ପ୍ରତିଷ୍ଠାତା ଟିପିଜି ନାମ୍ବିଆର ହେଉଛନ୍ତି ରାଜୀବଙ୍କ ଶ୍ୱଶୁର।