ଭୁବନେଶ୍ୱର: ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ରାଜ୍ୟ ରାଜନୀତି ତୀବ୍ର ହୋଇଛି । ବିରୋଧୀ ବିଜେଡ଼ି ଦଳ ବିଜେପି ସରକାର ଉପରେ ସଙ୍ଗୀନ ଅଭିଯୋଗ ଆଣିଛି । କ୍ରାଇମବ୍ରାଞ୍ଚ ବଦଳରେ ସିବିଆଇ ତଦନ୍ତ କରିବାକୁ ବିଜେଡ଼ି ଦାବି କରିଛନ୍ତି । ଅପର ପକ୍ଷେ କଡ଼ା ଜବାବ ରଖି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ପ୍ରଥମେ ଆତ୍ମସମୀକ୍ଷା କରି ତାପରେ ସମାଲୋଚନା କରନ୍ତୁ ।
ବିଜେଡ଼ି ମୁଖପାତ୍ର ଲେନିନ୍ ମହାନ୍ତି ଏବଂ ପ୍ରଶାନ୍ତ ମୁଦୁଲି ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରୁ ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି । ଲେନିନ୍ ମହାନ୍ତି କହିଛନ୍ତି, ଓଡ଼ିଶା ପୋଲିସ ରିକ୍ର୍ୟୁଟିମେଣ୍ଟ ବୋର୍ଡ ପରୀକ୍ଷା ପରିଚାଲନା ଦାୟିତ୍ୱ ପ୍ରଥମେ ଆଇଟିଆଇକୁ ଟେଣ୍ଡର୍ ଦେଇଥିଲା । ଏହା ପରେ ସିଲିକନ ଟେକ୍ ଲ୍ୟାବ ସଂସ୍ଥାକୁ ପରୀକ୍ଷା ଦାୟିତ୍ୱ ଦିଆଗଲା । ପୁଣି ପଞ୍ଚସଫ୍ଟ ଟେକ୍ନୋଲୋଜିକୁ ସିଲ୍କନ୍ ଗଞ୍ଜାମରେ ଦେଇଥିଲା । କାହା ସ୍ୱାର୍ଥରେ ସିଲକନ ଟେକ୍କୁ ପରୀକ୍ଷା ଦାୟିତ୍ୱ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି । ପରୀକ୍ଷାର୍ଥୀଙ୍କ ଭାଗ୍ୟ କ’ଣ ? ଲାଞ୍ଚର ମାଷ୍ଟରମାଇଣ୍ଡ କିଏ ? ୧୫ ମାସରେ ୧୬ ପରୀକ୍ଷା ବାତିଲ ହେଲାଣି, ଏଥିପାଇଁ ଦାୟୀ କିଏ ବୋଲି ବିଜେଡ଼ି ପ୍ରଶ୍ନ କରିଛି ।
ବିରୋଧୀ ଦଳର ଅଭିଯୋଗ ଏବଂ ଦାବିର ଜବାବ ରଖିଛନ୍ତି ଆଇନମନ୍ତ୍ରୀ । ବିଜେଡି ଶାସନରେ ପ୍ରଶ୍ନ ପତ୍ର ଲିକ୍ଠୁ ଆରମ୍ଭ କରି ନକଲି ପରୀକ୍ଷାର୍ଥୀ ଧରା ପଡ଼ିଥିଲେ । ୨୪ ବର୍ଷ ଭିତରେ କେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାର ପ୍ରଥମେ ଦିଅନ୍ତୁ । ତାଙ୍କ ସମୟରେ ସରକାର ଓ ବିଜେଡି ପ୍ରୋତ୍ସାହନରେ ଦୁର୍ନୀତି ହେଉଥିଲା । ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିଲେ ହିଁ ଚାକିରି ନିଶ୍ଚିତ ମିଳୁଥିଲା । ବିଜେଡି ୨୪ ବର୍ଷ ଶାସନର ପ୍ରଥମେ ଆତ୍ମସମୀକ୍ଷା କରୁ ଏବଂ ତାପରେ ସମାଲୋଚନା କରିବ । ମନ୍ତ୍ରୀ କହିଛନ୍ତି, ଯାହାର ବି ସଂପୃକ୍ତି ଥିବ, ଯେତେ ବଡ଼ ଲୋକ ହୋଇଥାଆନ୍ତୁ ଦଣ୍ଡିତ ହେବେ ।