ଖବର ଓଡ଼ିଶା: କନ୍ଧମାଳ ଜିଲ୍ଲା ଫୁଲବାଣୀ ମ୍ୟୁନିସିପାଲିଟିର ପୂର୍ବତନ କାଉନସିଲର ତଥା ସମାଜସେବୀ ପ୍ରଦୀପ କୁମାର ମୁନିଙ୍କ ଆଜି ଅକାଳ ବିୟୋଗ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା । ତାଙ୍କ ପତ୍ନୀ ଲୋପାମୁଦ୍ରା ମୁନି ହେଉଛନ୍ତି ଫୁଲବାଣୀ ମୁନିସିପାଲିଟିର ପ୍ରଥମ ଅଧ୍ୟକ୍ଷା ।
ବୁଧବାର ଫୁଲବାଣୀ ମ୍ୟୁନିସିପାଲିଟିର ପୂର୍ବତନ କାଉନସିଲର ତଥା ସମାଜସେବୀ ପ୍ରଦୀପ କୁମାର ମୁନିଙ୍କର ଦେହାନ୍ତ ହୋଇଛି । ସ୍ୱର୍ଗତ ମୁନୀଙ୍କ ମରଶରୀର ଭୁବନେଶ୍ୱରରୁ ଫୁଲବାଣୀ ପହଞ୍ଚିବା ପରେ ଏଫ ସି ଆଇ ଛକ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିନା । ଏହି ଶୋଭା ଯାତ୍ରାରେ ବିଜେଡ଼ି, ବିଜେପି ଓ କଂଗ୍ରେସର ବହୁ ନେତା ଓ କର୍ମୀ ଯୋଗଦାନ କରିଥିଲେ । ସ୍ଥାନୀୟ ପିଅନପଡ଼ା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି । ସେ ପ୍ରଥମେ କଂଗ୍ରେସ ଓ ପରେ ବିଜେଡ଼ିରେ ଯୋଗ ଦେଇଥିଲେ । ସେ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ । ସେ ଅନେକ ସମାଜ ସେବା କାର୍ଯ୍ୟ ମଧ୍ୟ କରିଛନ୍ତି ।
ତାଙ୍କର ଅକାଳ ବିୟୋଗରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲିକ, ଜିଲ୍ଲା ବିଜେଡ଼ି ସଭାପତି ଅଙ୍ଗଦ କହଁର, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ପୂର୍ବତନ ଉପ ବାଚସ୍ପତି ସାଲୁଗା ପ୍ରଧାନ, ପୂର୍ବତନ ସାଂସଦ ଡ଼ ଅଚ୍ୟୁତ ସାମନ୍ତ, ବାଲିଗୁଡ଼ା ବିଧାୟକ ଚକ୍ରମନୀ କହଁର, ପ୍ରମୁଖ ବହୁ ନେତା ଅତ୍ୟନ୍ତ ଶୋକ ପ୍ରକାଶ କରିଛନ୍ତି ।