ଖବର ଓଡ଼ିଶା: ଓଡ଼ିଶା ବିଧାନସଭାକୁ ନବ ନିର୍ବାଚିତ ହୋଇଥିବା ନୂତନ ବିଧାୟକମାନେ ବିଧାନସଭାର ନୀତି ନିୟମ ଉପରେ ତାଲିମ ନେବେ । ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ୮୪ ଜଣ ନବ ନିର୍ବାଚିତ ବିଧାୟକଙ୍କୁ ପ୍ରଶିକ୍ଷଣ ଦିଆଯିବ । କେନ୍ଦ୍ର ଓ ରାଜ୍ୟର ଅଭିଜ୍ଞ ସାଂସଦ, ବିଧାୟକ, ମନ୍ତ୍ରୀ, ପୂର୍ବତନ ବିଧାୟକ ଓ ପୂର୍ବତନ ମନ୍ତ୍ରୀମାନେ ନୂଆ ସଦସ୍ୟଙ୍କୁ ତାଲିମ ଦେବେ । ଏଥିରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜୁଜି ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ଅତିଥିଭାବରେ ଯୋଗ ଦେଇ ନିଜର ଅଭିଜ୍ଞତା ବାଣ୍ଟିବେ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନାଙ୍କ ସୂଚନା ମୁତାବକ, ଚଳିତ ସପ୍ତଦଶ ବିଧାନସଭାକୁ ୮୪ ଜଣ ନବ ନିର୍ବାଚିତ ବିଧାୟକ ଆସିଛନ୍ତି । ଏମାନଙ୍କୁ ଗୃହର କାର୍ଯ୍ୟଧାରା ଉପରେ ପ୍ରଶିକ୍ଷଣ ଦିଆଯିବ । ଆସନ୍ତା ଅଗଷ୍ଟ ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ପ୍ରଶିକ୍ଷଣ କାର୍ଯ୍ୟ ଚାଲିବ । ଚାରୋଟି ପର୍ଯ୍ୟାୟରେ ଏହି ତାଲିମ ସଭା ହେବ । ଅଗଷ୍ଟ ୧୭ ତାରିଖରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବେ । ଏଥିରେ କେନ୍ଦ୍ର ମନ୍ତ୍ରୀ କିରଣ ରିଜୁଜି ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ପ୍ରସାଦ ଅତିଥିଭାବରେ ଯୋଗ ଦେଇ ନିଜର ଅଭିଜ୍ଞତା ବାଣ୍ଟିବେ । ବିଧାନସଭାର କାର୍ଯ୍ୟବିଧି, କମିଟି ବ୍ୟବସ୍ଥା, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ ଭଳି ବିଭିନ୍ନ କାର୍ଯ୍ୟଶୈଳୀ ବିଷୟରେ ତାଲିମ ଦିଆଯିବ ।
ସେହିପରି ବିଧାନସଭାକୁ ସର୍ବାଧିକ ୭ ଥର ନିର୍ବାଚିତ ହୋଇଥିବା ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଂଗ୍ରେସର ପୂର୍ବତନ ବିଧାୟକ ନରସିଂହ ମିଶ୍ର, ପୂର୍ବତନ ରାଜ୍ୟ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ଓ ଶ୍ରେଷ୍ଠ ସାଂସଦ ଭାବରେ ପୁରଷ୍କୃତ ହୋଇଥିବା ବରିଷ୍ଠ ନେତା ଭର୍ତ୍ତୃଦରି ମହତାବ ବିଧାନସଭାର କାର୍ଯ୍ୟବିଧି ଓ ଦାୟିତ୍ୱ ସମ୍ପର୍କରେ ତାଲିମ ଦେବେ । ଏହା ବିଧାନସଭାର ଏକ ପ୍ରକ୍ରିୟା ବୋଲି ମନ୍ତ୍ରୀ କହିଛନ୍ତି ।
ସପ୍ତଦଶ ବିଧାନସଭାକୁ ୧୪୭ ବିଧାୟକଙ୍କ ମଧ୍ୟରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ୮୪ ଜଣ ବିଧାୟକ । ବିଜେପିର ସର୍ବାଧିକ ୫୪ ଜଣ ସଦସ୍ୟଥିବା ବେଳେ ବିଜେଡି ୧୮, କଂଗ୍ରେସର ୯ ଓ ୩ ଜଣ ସ୍ୱାଧୀନ ବିଧାୟକ ନୂଆ କରି ନିର୍ବାଚିତ ହୋଇଛନ୍ତି ।