ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ କାନପୁରର ଦେହାତ ଜିଲ୍ଲା ବିକାଶ ସମନ୍ୱୟ ବୈଠକରେ ବଡ଼ କାଣ୍ଡ ହୋଇଛି । ବୈଠକରେ ଆକବରପୁରର ବିଜେପି ସାଂସଦ ଦେବେନ୍ଦ୍ର ସିଂହ ଭୋଲେ ଏବଂ ପୂର୍ବତନ ସାଂସଦ ତଥା ରାଜ୍ୟ ମନ୍ତ୍ରୀ ପ୍ରତିଭା ଶୁକ୍ଳାଙ୍କ ସ୍ୱାମୀ ଅନିଲ ଶୁକ୍ଳା ବାରସୀଙ୍କ ମଧ୍ୟରେ ବିବାଦ ହୋଇଛି । ଏମିତିକି ହାତାହାତି ପର୍ଯ୍ୟନ୍ତ ମଧ୍ୟ କଥା ଯାଇଛି । ଉଭୟ ନେତାଙ୍କ ମଧ୍ୟରେ ଝଗଡ଼ା କାରଣରୁ ବୈଠକ ଅଧାରୁ ସ୍ଥଗିତ ରହିଛି ।
ପୂର୍ବତନ ସାଂସଦ ଅନିଲ ଶୁକ୍ଳା ସାଂସଦ ଦେବେନ୍ଦ୍ର ସିଂହ ଭୋଲେଙ୍କ ଉପରେ ଦିଶା ସମିତିର ଦୁରୂପଯୋଗ କରିବାର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ସାଂସଦ ଭୋଲେ ନିଜ ଲୋକଙ୍କୁ ଜବରଦସ୍ତି ସମିତିର ସଦସ୍ୟ କରାଇଛନ୍ତି । ଯେଉଁମାନେ ଲୋକଙ୍କୁ ନିଶାଣ କରୁଛନ୍ତି ଏବଂ ଅପମାନିତ କରୁଛନ୍ତି । ମିଛ ମାମଲା ରୁଜୁ କରୁଛନ୍ତି । ଏହା ସହିତ ଫ୍ୟାକ୍ଟ୍ରିରୁ ଚାନ୍ଦା ଆଦାୟ କରୁଛନ୍ତି । ଏପରିକି ସାଂସଦ ଭୋଲେ ଗୁଣ୍ଡାଙ୍କ ଚେୟାରମ୍ୟାନ ବୋଲି କହିଛନ୍ତି ଅନିଲ ଶୁକ୍ଳା ।
ଏହା ପରେ ସାଂସଦ ଭୋଲେ ମଧ୍ୟ କଡ଼ା ଜବାବ ରଖିଥିଲେ । ସେ କହିଥିଲେ ଅନିଲ ଶୁକ୍ଳା ନିର୍ବାଚନ ପୂର୍ବରୁ ବାତ୍ତାବରଣକୁ ଖରାପ କରିବା ଏବଂ ଅଧିକାରୀମାନଙ୍କୁ ଟାର୍ଗେଟ୍ କରନ୍ତି । ଉଭୟଙ୍କ ମଧ୍ୟରେ ଝଗଡ଼ା ଏତେ ତୀବ୍ର ରୂପ ନେଇଥିଲା ଯେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା । ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଉପସ୍ଥିତ ଏସପି ଏବଂ ଅନ୍ୟ ପୋଲିସ ଅଧିକାରୀଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା । ଫଳରେ ଗୁରୁତ୍ୱ ପୂର୍ଣ୍ଣ ଦିଶା ବୈଠକ ମଧ୍ୟ ସ୍ଥଗିତ ରହିଥିଲା ।