ଭୁବନେଶ୍ୱର: ଆଜିଠାରୁ ରାଜ୍ୟ ସୁଭଦ୍ରା ଶୋଭାଯାତ୍ରାର ଶୁଭାରମ୍ଭ ହୋଇଛି । ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ଗାଁ ଗାଁରେ ବୁଲିବ ସୁଭଦ୍ରା ଶୋଭାଯାତ୍ରା । ଆସନ୍ତା ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଚାଲିବ । ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ଆଧାରରେ ଏହି ଶୋଭାଯାତ୍ରା କରାଯାଉଛି । ରାଜ୍ୟର ୬ ହଜାର ୪୯୪ଟି ସ୍ଥାନରେ ରାଲିର ଆୟୋଜନ କରାଯାଇଛି ।
ଭୁବନେଶ୍ୱରରେ ଆୟୋଜିତ ସୁଭଦ୍ରା ଶୋଭାଯାତ୍ରାରେ ଏକାମ୍ର ବିଧାୟକ ବାବୁ ସିଂ ଓ ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଛନ୍ତି । ଖଣ୍ଡଗିରିରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି, ମାଆ ମାନଙ୍କ ପାଇଁ ଓଡ଼ିଶା ଇତିହାସର ସବୁଠୁ ଭଲ ଏବଂ ବଡ଼ ଯୋଜନା ସୁଭଦ୍ରା ଯୋଜନା । ପ୍ରଭୁ ଜଗନ୍ନାଥଙ୍କ ଭଉଣୀ ସୁଭଦ୍ରାଙ୍କ ନାମରେ ନାମିତ ଏହି ଯୋଜନା ଘରେ ଘରେ ପହଁଚିବ । ସେଥିପାଇଁ କଥା ଦେଇ କଥା ରଖିଥିବା ସରକାରଙ୍କୁ ଧନ୍ୟବାଦ । ମାଆମାନେ ରୋଜଗାର କ୍ଷମ ହେଲେ ପରିବାର ହସିବ । ଏହା ସମାଜର ଏକ ପଟ୍ଟ ପରିବର୍ତ୍ତନ ପାଇଁ ସହାୟକ ହେବ । ଘରୁ ବାହାରି ମାଆମାନଙ୍କୁ ରୋଜଗାରକ୍ଷମ କରିବା ଆମର ଲକ୍ଷ୍ୟ । ଡବଲ ଇଞ୍ଜିନ ସରକାରରେ ଘରେ ବି ଚାଲିବ ଡବଲ ଇଞ୍ଜିନ । ପୁରୁଷ ଏବଂ ମହିଳାମାନେ ରୋଜଗାର କରିବେ । ମହିଳାମାନଙ୍କୁ ଓଡ଼ିଶାର ବିଜେପି ସରକାର ସବୁଠାରୁ ଅଧିକ ଗୁରୁତ୍ବ ଦେଉଛନ୍ତି । ଏଣେ ଏଥିରେ ସାମିଲ ହୋଇଥିବା ମହିଳାମାନେ ମୋହନ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସେହିପରି ମେୟର ସୁଲୋଚନା ଦାସ କହିଛନ୍ତି, ଆସନ୍ତା 8 ତାରିଖରେ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା ଆସିବ । ସେଥିପାଇଁ ଜନ ସଚେତନତା କାର୍ଯ୍ୟକ୍ରମ କରାଯିବ । ଭୁବନେଶ୍ୱରରୁ ପ୍ରାୟ ଏକ ଲକ୍ଷ ମହିଳା ଏହି ଟଙ୍କା ପାଇବେ ବୋଲି କହିଛନ୍ତି ମେୟର ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆସନ୍ତାକାଲି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇବେ ହିତାଧିକାରୀ । ୧ ଲକ୍ଷ ୭୦ ହଜାର ସୁଭଦ୍ରା ହିତାଧିକାରୀଙ୍କୁ ଆକାଉଣ୍ଟକୁ ଯିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା । ୮ ତାରିଖ ମହିଳା ଦିବସ ଅବସରରେ ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବ । ପ୍ରାୟ ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଦ୍ଵିତୀୟ କିସ୍ତି ଟଙ୍କା ଯିବ । ମାତ୍ର ତିନି ଦିନ ଭିତରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ୧୦ ଜହାର ଟଙ୍କା । ନୂଆ ଆବେଦନକାରୀଙ୍କ ଲାଗି ମାର୍ଚ୍ଚ ୩୧ ଶେଷ ତାରିଖ ରହିଛି ।