ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବହୁଜନ ସମାଜ ପାର୍ଟି ବିଏସପି ମୁଖ୍ୟ ମାୟାବତୀ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇବାର ଗୋଟିଏ ଦିନ ପରେ ତାଙ୍କୁ ବିଏସପିରୁ ବହିଷ୍କାର କରିଛନ୍ତି। ଗତକାଲି ମାୟାବତୀ ଆକାଶ ଆନନ୍ଦଙ୍କୁ ଦଳର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ହଟାଇ ଦେଇଥିଲେ। ଏବେ ଏକ୍ସରେ ପୋଷ୍ଟ କରି ଆକାଶ ଆନନ୍ଦଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ଆକାଶ ଆନନ୍ଦଙ୍କୁ ଡିସେମ୍ବର ୨୦୨୩ରେ ନିଜ ଉତ୍ତରାଧିକାରୀ ଭାବରେ ଘୋଷଣା କରିଥିଲେ ବିଏସପି ସୁପ୍ରିମୋ । ହେଲେ ଏବେ ତାଙ୍କୁ ଦଳରୁ ବହିଷ୍କାର କରିବା ରାଜନୈତିକ ମହଲରେ ଚର୍ଚ୍ଚା ବଢାଇଛି ।
ସୋସିଆଲ୍ ମିଡିଆରେ ଏକ୍ସରେ ସେ ଏକ ପୋଷ୍ଟ କରି ପୁତୁରାଙ୍କୁ କାଢିଥିବାର କାରଣ କହିଛନ୍ତି । ତାଙ୍କର ନିଷ୍ପତ୍ତି ବିଷୟରେ ସୂଚନା ଦେଇ ମାୟାବତୀ କହିଛନ୍ତି ଯେ, ଗତକାଲି ବିଏସପିର ସର୍ବଦଳୀୟ ବୈଠକରେ ତାଙ୍କ ପୁତୁରା ଦଳୀୟ ହିତ ଠାରୁ ଦୂରେଇ ପାର୍ଟିରୁ ବହିଷ୍କୃତ ହୋଇଥିବା ତାଙ୍କ ଶ୍ବଶୁର ଅଶୋକ ସିନ୍ଧାନ୍ତଙ୍କ ସହ ଅଧିକ ମିଳାମିଶା କରୁଥିବା କାରଣରୁ ତାଙ୍କୁ ଦଳର ସଂଯୋଜକ ପଦ ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦବୀରୁ ହଟାଯାଇଥିଲା । ଯାହା ପରେ ସେ ପଶ୍ଚାତାପ କରି ଆହୁରି ଅଧିକ ତାଙ୍କ ଭୁଲର ଆତ୍ମସମୀକ୍ଷା କରିବା କଥା । କିନ୍ତୁ ସେ ତାର ଠିକ୍ ଓଲଟା କରିଛନ୍ତି ।
ବିଏସପି ଅଧ୍ୟକ୍ଷା ମାୟାବତୀ ଆଜି (ସୋମବାର) ଲକ୍ଷ୍ନୌରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ଅନେକ ରାଜ୍ୟର ରାଜ୍ୟ ସଭାପତିମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଦଳୀୟ ପଦାଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ସେପଟେ ଦଳରୁ ବହିଷ୍କାର ହେବା ପରେ ଆକାଶ ଆନନ୍ଦ ତାଙ୍କ ସ୍ପଷ୍ଟୀକରଣରେ କହିଥିଲେ ଯେ ‘ମୁଁ ମାୟାବତୀଙ୍କର ଜଣେ କର୍ମୀ । ତାଙ୍କ ନେତୃତ୍ୱରେ ମୁଁ ତ୍ୟାଗ, ବିଶ୍ୱସ୍ତତା ଏବଂ ସମର୍ପଣର ଶିକ୍ଷା ପାଇଛି । ମାୟାବତୀଙ୍କ ଦ୍ୱାରା ମୋତେ ସମସ୍ତ ଦଳୀୟ ପଦବୀରୁ ମୁକ୍ତ କରିବାର ନିଷ୍ପତ୍ତି ମୋ ପାଇଁ ବ୍ୟକ୍ତିଗତ ଭାବରେ ଭାବପ୍ରବଣ, କିନ୍ତୁ ଏହା ଏବେ ଏକ ବଡ଼ ଚ୍ୟାଲେଞ୍ଜ ଏବଂ ଲମ୍ବା ଲଢ଼େଇ । ଏପରି କଠିନ ସମୟରେ, ଧର୍ଯ୍ୟ ଏବଂ ଦୃଢ଼ ନିଷ୍ପତ୍ତି ହିଁ ପ୍ରକୃତ ସାଥୀ। ବହୁଜନ ମିଶନ ଏବଂ ଆନ୍ଦୋଳନର ଜଣେ ପ୍ରକୃତ କର୍ମୀ ଭାବରେ, ମୁଁ ଦଳ ଏବଂ ମିଶନ ପାଇଁ ପୂର୍ଣ୍ଣ ନିଷ୍ଠାର ସହିତ କାମ କରିବି ଏବଂ ମୋ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୋ ସମାଜର ଅଧିକାର ପାଇଁ ଲଢ଼େଇ କରିବି’।