ନୂଆଦିଲ୍ଲୀ: ବିଜେପି ଯାହା କୁହେ, ସେହି କଥାକୁ ପାଳନ କରେ । ସାମନ୍ତବାଦ ଏବଂ ଅହଙ୍କାର କଂଗ୍ରେସର ପରିଚୟ । ୧୯୫୧ ମସିହାରେ ସରକାର ଓ ବ୍ୟବସ୍ଥା କାହା ପାଖରେ ଥିଲା ? ସେତେବେଳେ ଜାତିଭିତ୍ତିକ ଜନଗଣନା କାହିଁକି ଗ୍ରହଣ କରାଯାଇନଥିଲା ବୋଲି କଂଗ୍ରେସକୁ ପ୍ରଶ୍ନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଜାତିଭିତ୍ତିକ ଜନଗଣନା କରିବାକୁ ମୋଦୀ ସରକାର ନେଇଥିବା ଐତିହାସିକ ପଦକ୍ଷେପ ଉପରେ ସରକାରଙ୍କୁ ଟାର୍ଗେଟ୍ କରୁଥିବା କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀଯୁକ୍ତ ପ୍ରଧାନ ଗୁରୁବାର ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଐତିହାସିକ ନିଷ୍ପତ୍ତି ନେବା ପରେ କିଛି ଲୋକ ବିଳି ବିଳେଇ ହେଉଛନ୍ତି । ସେମାନେ ‘ସରକାର ତୁମର ଓ ବ୍ୟବସ୍ଥା ଆମର’ ବୋଲି କହୁଛନ୍ତି । ତେବେ ୧୯୫୧ରେ ସରକାର କାହାର ଥିଲା ଏବଂ ସିଷ୍ଟମ କାହାର ଥିଲା? କାକା କାଲେଲକର କମିଶନର ରିପୋର୍ଟ, ମଣ୍ଡଳ କମିଶନଙ୍କ ରିପୋର୍ଟକୁ ପ୍ରତ୍ୟାଖାନ କରିଥିବା ତଥା ସାମାଜିକ ନ୍ୟାୟ ବିରୋଧରେ ସବୁବେଳେ ଥିବା କଂଗ୍ରେସ ବିଜେପିକୁ ଏହି ପ୍ରସଙ୍ଗରେ ଟାଇମଲାଇନ ନେଇ ପ୍ରଶ୍ନ କରିବା ଦୁର୍ଭାଗ୍ୟଜନକ ।
ପ୍ରଧାନ କହିଛନ୍ତି ବିଜେପି ପାର୍ଟି ଯାହା କୁହେ, ସେହି କଥାକୁ ପାଳନ କରେ । ସାମନ୍ତବାଦ ଏବଂ ଅହଙ୍କାର କଂଗ୍ରେସର ପରିଚୟ । ୧୯୫୧ ମସିହାରେ ସରକାର ଓ ବ୍ୟବସ୍ଥା କାହା ପାଖରେ ଥିଲା ? ସେତେବେଳେ ଜାତିଭିତ୍ତିକ ଜନଗଣନା କାହିଁକି ଗ୍ରହଣ କରାଯାଇନଥିଲା ? ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଜାତିଗତ ସଂରକ୍ଷଣର ଘୋର ବିରୋଧୀ ଥିଲେ । ଯଦି ଜାତି ଆଧାରରେ ସଂରକ୍ଷଣ ମିଳେ ତେବେ ଗୁଣବତ୍ତା ହ୍ରାସ ପାଇବ ବୋଲି ନେହେରୁ ସମସ୍ତ ରାଜ୍ୟକୁ ଚିଠି ଲେଖିଥିଲେ । କାକା କାଲେଲକର କମିଶନଙ୍କ ରିପୋର୍ଟକୁ ଲମ୍ବା ସମୟ ଧରି ସାମ୍ନାକୁ ନ ଆଣିବା ପାଇଁ କିଏ ଯୋଜନା କରିଥିଲା ? ଯଦି ବାପୁ, ସର୍ଦ୍ଦାର ପଟେଲ, ବାବା ସାହେବ ଏବଂ ସମ୍ବିଧାନ ସଭା ନ ହୋଇଥାନ୍ତା ତେବେ କଂଗ୍ରେସ ସଂରକ୍ଷଣର ବ୍ୟବସ୍ଥା ବି କରିନଥାନ୍ତା ।
୧୯୭୭ ମସିହାରେ ଜନତା ପାର୍ଟି ସରକାର ଗଠନ କରିଥିବା ମଣ୍ଡଳ କମିଶନ ରିପୋର୍ଟକୁ ଦୀର୍ଘ ୧୦ ବର୍ଷ ଧରି କଳା କୋଠରୀରେ ରଖିବା ପାଇଁ କିଏ ଚେଷ୍ଟା କରିଥିଲା ? ସେତେବେଳେ 'ସରକାର ଓ ବ୍ୟବସ୍ଥା' କାହା ହାତରେ ଥିଲା ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି ? ଯେଉଁମାନେ 'ସରକାର ତାଙ୍କର ଏବଂ ଆମର ସିଷ୍ଟମ’ ବୋଲି କହୁଛନ୍ତି, ସେମାନଙ୍କ ଅହଂକାର ଓ ଦମ୍ଭ ସ୍ପଷ୍ଟ ଭାବେ ପଦାକୁ ଆସିଛି ।
ସେହିପରି ବିଜେପି ସମର୍ଥନରେ ଭିପି ସିଂ ସରକାର ମଣ୍ଡଳ କମିଶନ ଲାଗୁ କରିଥିଲେ । କିନ୍ତୁ ତତ୍କାଳୀନ ବିରୋଧୀ ଦଳ ନେତା ରାଜୀବ ଗାନ୍ଧୀ ସଂସଦରେ ଲମ୍ବା ସମୟ ଧରି ଓବିସି ସମାଜ ବିରୁଦ୍ଧରେ ନିଜ ବିଷ ଓଗାଳିଥିଲେ ।