ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସନ୍ତା ୧୦ ତାରିଖ ଗୁରୁବାର ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିବେ । ଏହା ପରେ ଏପ୍ରିଲ ୧୪ ତାରିଖରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ପାରନ୍ତି । ସେହିଦିନ ଏନଡିଏ ବିଧାୟକ ଦଳ ବୈଠକ ବସିବାର ରହିଛି । ସେହିଦିନ ବିହାରର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇପାରେ ।
ନୀତୀଶଙ୍କର ବିଧାନସଭା ପରିଷଦରେ ଚତୁର୍ଥ କାର୍ଯ୍ୟକାଳ । ତାଙ୍କର କାର୍ଯ୍ୟକାଳ ୨୦୩୦ ପର୍ଯ୍ୟନ୍ତ ଥିଲା । ମାର୍ଚ୍ଚ ୧୬ ତାରିଖରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ସଂସଦକୁ ନିର୍ବାଚିତ ସଦସ୍ୟଙ୍କୁ ବିଧାନସଭାର ସଦସ୍ୟତା ପରିତ୍ୟାଗ କରିବାକୁ ପଡିବ ।
ଅନ୍ୟପକ୍ଷରେ ନୀତିଶଙ୍କ ପରେ ବିହାରରେ କିଏ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବ ତାହାର ଚିତ୍ର ମଧ୍ୟ ଧିରେ ଧିରେ ସ୍ପଷ୍ଟ ହେବାକୁ ଲାଗିଛି । ନୀତୀଶଙ୍କ ଅତି ନିକଟତମ ସହଯୋଗୀ କୁହାଯାଉଥିବା ଜେଡିୟୁ ନେତା ବିଜୟ କୁମାର ମଧ୍ୟ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ବିହାରର ନେତୃତ୍ୱ ବିଜେପି ନେବ । ଏପ୍ରିଲ ୧୦ ତାରିଖରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର ସମ୍ଭାବନା ରହିଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ପଦ ନେଇ ଆଲୋଚନା ହେବ । ତେବେ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ସର୍ବାଗ୍ରେ ସମ୍ରାଟ ଚୌଧୁରୀଙ୍କ ନାମ ରହିଛି । ତେଣୁ ତାଙ୍କ ଉପରେ ମୋହର ଲାଗିପାରେ ।